ନାଲି କୋଠାକୁ ରେଡ୍‌ ସିଗନାଲ୍‌, ସଂକ୍ରମଣ ପାଇଁ କମି ଯାଇଛି କୋର୍ଟ ସମୟ

ଭୁବନେଶ୍ୱର: ମହାମାରୀ କରୋନା ଜୀବନ ଜୀବିକା ଉଜାଡ଼ି ଦେଇଛି । କେବଳ ସେତିକି ନୁହେଁ ଦୋହଲି ଯାଇଛି ନ୍ୟାୟିକ ବ୍ୟବସ୍ଥା । କୋର୍ଟ କଚେରୀ ଉପରେ ପଡ଼ିଛି କରୋନାର ପ୍ରଭାବ । ଶେଷ ପର୍ଯ୍ୟାୟରେ ଶହ ଶହ ମାମଲା ରହିଥିବା ବେଳେ ବାଧକ ସାଜିଛି କରୋନା । ନା ହେଉଛି ବିଚାର ନା ମିଳୁଛି ମୁକ୍ତି ।

୨୦୧୩ ସେପ୍ଟେମ୍ବର ୧୪ ତାରିଖ । ରସୁଲଗଡ଼ ଅଞ୍ଚଳରେ ଘଟିଥିଲା ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ । ବହୁ ବର୍ଷର ତର୍ଜମା ପରେ ବିଚାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିଲା । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ମଧ୍ୟରେ ଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଏପ୍ରିଲ ଶେଷରେ ରାୟ ପ୍ରକାଶ ପାଇଥାନ୍ତା । କିନ୍ତୁ କରୋନା କାଳ ସାଜିଲା ।୨୦୧୮ରେ ରାଜଧାନୀ ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ ଘଟଣା । ହେଲେ କରୋନା ପାଇଁ ପୋକସୋ କୋର୍ଟରେ ବୟାନ ରେକର୍ଡ ହୋଇପାରି ନାହିଁ ତଦନ୍ତକାରୀ ଅଧିକାରୀଙ୍କର । ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ଟିଟୋ ଘଟଣା ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ସ୍ତ୍ରୀକୁ ୩ଶହ ଖଣ୍ଡ କରି ମାରିବା ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆର୍ମି ଡାକ୍ତର ଘଟଣାର ପୁନଃ ଶୁଣାଣିକୁ ଅଟକାଇଛି ଲକ୍‌ଡାଉନ୍‌ ।

ଗୋଟିଏ କିମ୍ବା ଦୁଇଟି ଘଟଣା ନୁହେଁ, ରାଜ୍ୟରେ ଏଭଳି ଶହଶହ ମାମଲା ବିଚରାଧୀନ ଅବସ୍ଥାରେ ପଡିରହିଛି । ୨୦୧୯ ନଭେମ୍ବର ୧୯ରେ ରାଜ୍ୟ ଆଇନ୍ ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୫ ଲକ୍ଷ ୬୫ ହଜାର ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଛି । ସେହିଭଳି ଦୁଇ ମାସ ଭିତରେ ପୋକ୍ସୋ କୋର୍ଟରେ ୨୦ଟି ମାମଲା ବିଚରାଧିନ ଅବସ୍ଥାରେ ରହିଥିବା ବେଳେ ଏଥିରେ ବାଧକ ସାଜିଛି କରୋନା । ଲକଡାଉନ କୋହଳ ହେବା ପରେ କୋର୍ଟର ସମୟସୀମା ଦିନକୁ ମାତ୍ର ଦୁଇଘଣ୍ଟା ଧାର୍ଯ୍ୟ ହୋଇଛି । ଯେଉଁଥିପାଇଁ ମୁଦାଲାଙ୍କ ପରିବାରକୁ ଘୂରି ବୁଲିବାକୁ ପଡ଼ୁଛି । ଅନ୍ୟପଟେ ସାମାଜିକ ଦୂରତା ସହ କୋର୍ଟ ସମୟ ବୃଦ୍ଧି ପାଇଁ ଆଇନ୍‌ଜୀବୀ ପରାମର୍ଶ ଦେଇଛନ୍ତି ।

Leave a Reply