ଲକଡାଉନ୍ ଦୁଃଖ : ୧୬୦୦ କିମି ଚାଲିଚାଲି ଘରେ ପହଞ୍ଚିଲେ,କିନ୍ତୁ ୬ ଘଣ୍ଟା ପରେ ଜଳିଲା ଜୁଇ !

ଉତ୍ତର ପ୍ରଦେଶ: ନିଦ ହଜାଇଛି କରୋନା । କରୋନା ପାଇଁ ହୋଇଥିବା ଲକଡାଉନ୍ କାରଣରୁ ହନ୍ତସନ୍ତ ହେଉଛି ଧନଜୀବନ । ଘରକୁ ଫେରିବା ଆଗରୁ ଲକଡାଉନ ପାଇଁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ଲୋକେ । କିଏ ଚାଲିଚାଲି ଘରେ ପହଞ୍ଚୁଛି ତ କିଏ ରାସ୍ତାରେ ହିଁ ପ୍ରାଣ ହରାଉଛି ଆଉ କିଏ ଘରେ ପହଞ୍ଚି ପ୍ରାଣ ହରାଉଛି । ଏମିତି ଏକ ଘଟଣା ଉତ୍ତର ପ୍ରଦେଶରୁ ଘଟିଛି ।  ଜଣେ ଯୁବକ ଲକଡାଉନ ପାଇଁ ଘରକୁ ଫେରିବାର କୌଣସି ଉପାୟ ନପାଇ, ମୁମ୍ବାଇ ଠାରୁ ୧୬୦୦ କିଲୋମିଟର ଦୂର ଚାଲିଚାଲି ୟୁପିର ଶ୍ରାବସ୍ତି ଜିଲ୍ଲାର ନିଜ ଘରେ ପହଞ୍ଚିଥିଲେ । କିନ୍ତୁ ପ୍ରଶାସନ ତାଙ୍କୁ ଏକ ଗ୍ରାମ ବିଦ୍ୟାଳୟରେ ୧୪ଦିନ ପାଇଁ କ୍ୱାରେଣ୍ଟାଇନରେ  ରଖିଥିଲେ । ତେବେ ସେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାର ମାତ୍ର ୬ ଘଣ୍ଟା ମଧ୍ୟରେ ରହସ୍ୟମୟ ଭାବରେ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁସାରେ, ସୋମବାର ସକାଳ ୭ଟାରେ ଯୁବକ ଜଣଙ୍କ ମହାରାଷ୍ଟ୍ରର ମୁମ୍ବାଇ ଠାରୁ ୧୬୦୦ କିଲୋମିଟର ଦୂରରେ ତାଙ୍କ ଗାଁରେ ପହଞ୍ଚିଥିଲେ । ତାପରେ ତାଙ୍କୁ କ୍ୱାରେଣ୍ଚାଇନରେ ୧୪ ଦିନ ରହିବାକୁ କୁହାଯାଇଥିଲା । ତେବେ କ୍ୱାରେଣ୍ଟାଇନ ସେଣ୍ଟରରେ ହିଁ ସେହିଦିନ ଦିନ ପ୍ରାୟ ୧ଟା ବେଳେ କଥାବାର୍ତ୍ତା କରୁଥିବା ସମୟରେ ରହସ୍ୟମୟ ଭାବରେ ପ୍ରାଣ ହରାଇଥିଲେ ।

କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁର ଖବର ବ୍ୟାପିବା ପରେ ଜିଲ୍ଲାରେ ସମସ୍ତେ ଭୟବୀତ ହୋଇଯାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀମାନେ ଶୀଘ୍ର ଗାଁକୁ ଦୌଡ଼ି ଆସିଥିଲେ । ଏବଂ ଯୁବକଙ୍କ ମୃତଦେହକୁ କୋରୋନା ପ୍ରୋଟୋକଲ ଅଧୀନରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।

ଏହାସହ ମୃତଦେହ ନିକଟରେ ପହଞ୍ଚିଥିବା ପରିବାର ସଦସ୍ୟଙ୍କୁ ମଧ୍ୟ ଉକ୍ତ ବିଦ୍ୟାଳୟରେ କ୍ୱାରେଣ୍ଟାଇନ ରଖାଯାଇଛି । ଏବେ ମୃତକଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ସେ ଏତେବାଟ ଚାଲିଚାଲି ଆସିଥିଲେ ତେଣୁ ସେ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବାରୁ ହିଁ ତାଙ୍କର ମୃତ୍ୟୁ ହୋଇଛି । ସେ କରୋନା ସଂକ୍ରମିତ ନଥିଲେ ।

ଏହି ପ୍ରସଙ୍ଗରେ ଶ୍ରୀବସ୍ତିର ସିଏମଓ ପି. ଭାର୍ଗବ କହିଛନ୍ତି ଯେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ବ୍ୟକ୍ତି ସୋମବାର ସକାଳ ୭ଟାରେ ମହାରାଷ୍ଟ୍ରରୁ ଆସିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ, ତେଣୁ କିଛି କହିବା କଷ୍ଟକର ।

Leave a Reply