ମଦ ବିଭୀଷିକା ପରେ ଶୂନଶାନ ଗଞ୍ଜାମ ଜିଲ୍ଲାର ଜେନାପୁର ଗାଁ

ଦିଗପହଣ୍ଡି : ଖାଁ ଖାଁ ଗଞ୍ଜାମ ଜିଲ୍ଲାର ଜେନାପୁର ଗାଁ । ଲୋକଙ୍କ ମୁହଁରୁ ହସ ଛଡ଼ାଇ ନେଇଛି ମଦ ବିଭୀଷିକା । ଖୁସିରେ ଯାଇ ମଦପିଇଥିଲେ, ହେଲେ କିଏ ଯାଣିଥିଲା ନିଶାର ସେହି କ୍ଷଣ ତାଙ୍କ ପାଇଁ ଆଣିବ ଏତେବଡ଼ ବିପଦ । ବିଷାକ୍ତ ମଦ ଦୁଇଜଣଙ୍କ ଜୀବନ ନେଇଛି । ଏବେବି ୧୩ ଜଣ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଓ ପୁରା ଗ୍ରାମବାସୀ ।

ବୁଢୀ ବୟସରେ ଆଖିରୁ ନିଦ ହଜି ଯାଇଛି । କୋରଡ଼ ଆଖିରୁ ଝରି ଝରି ଶୁଖି ଯାଇଛି ଲୁହ । ୬ ଝିଅ ପରେ ଗୋଟିଏ ପୁଅ ଜନ୍ମ ହୋଇଥିଲା । ନାଁ ଦେଇଥିଲେ ବିପିନ । ପରିବାରର ଏକମାତ୍ର ଶାହା ଭରସା ଏବେ ମେଡିକାଲର ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛି । ବାପାଙ୍କ ବାଟକୁ ଚାହିଁ ବସିଛି କୁନି ଝିଅ । ମଦ ନିଶା ଘରର ଶାନ୍ତି ଛଡ଼ାଇ ନେଇଛି । ଇଏ ହେଉଛି ଗଞ୍ଜାମ ଜିଲ୍ଲାର ଜେନାପୁର ଗାଁ । ମଦ ବିଭିଷୀକା ପରେ ପୁରା ଗାଁ ଏବେ ଶୂନସାନ । ସପ୍ତାହ ହେଲା ଘରେ ଚୂଲି ଜଳୁନି । ବାପା, ମାଆ ଓ ବଡ଼ଭାଇ ମରିବା ପରେ ସାନ ଭାଇ ପ୍ରଦୀପ ଜେନା ଥିଲେ ଭଉଣୀ ରୀତାଙ୍କ ଏକମାତ୍ର ସାହସ । ରାକ୍ଷୀ ପୂର୍ଣ୍ଣିମାରେ ଖୁସିରେ ରାକ୍ଷୀ ବାନ୍ଧିଥିଲା । ହେଲେ ସଂଧ୍ଯାରେ ବିଷାକ୍ତ ମଦ ପିଇ ଭାଇ ଏବେ ମେଡିକାଲରେ । ୭ ଦିନ ହେଲା ଆଇସିୟୁରେ ଚିକିତ୍ସା ଚାଲିଥିଲେ ସୁଦ୍ଧା ସ୍ଥିତିରେ ସୁଧାର ଆସି ନଥିବା କହି ଭଉଣୀର ଆଖି ଜକେଇ ଆସୁଛି ।

କେବଳ ବିପନ ଓ ପ୍ରଦୀପ ନୁହନ୍ତି ଏବେବି ଏମକେସିଜିରେ ଚିକିତ୍ସିତ ହେଉଛନ୍ତି ଗାଁର ୧୩ ଜଣ । ଗୁରୁତରଙ୍କ ସଂଖ୍ଯା ବଢୁଥିବାରୁ ୭ ଜଣଙ୍କୁ ଆଇସିୟୁ ସ୍ଥାନାନ୍ତର କରାଯାଇଛି । ଦୁଇଜଣଙ୍କ ଜୀବନ ନେଇଛି ଏହି ବିଷାକ୍ତ ମଦ । ଗାଁର ଜୁର ଓ ଲୋକନାଥଙ୍କ ମୃତ୍ୟୁ ହେବା ପରେ ଅସୁସ୍ଥଙ୍କ ପରିବାର ଲୋକଙ୍କ ନିଦ ହଜି ଯାଇଛି । ସୌଭାଗ୍ଯ ବସତଃ ସୁସ୍ଥ ହୋଇ ଫେରିଛନ୍ତି ଗାଁର ରାମ ବେହେରା । ଜୀବନରେ ମଦ ନିଶା ତାଙ୍କ ଉପଯୁକ୍ତ ଶିକ୍ଷା ଦେଇଛି । ତେଣୁ ଆଉ ଜୀବନରେ ମଦ ଛୁଇଁବେ ନାହିଁ ବୋଲି କହିଛନ୍ତି ରାମ । ସେପଟେ ଆକ୍ରାନ୍ତଙ୍କ ଚିକିତ୍ସା ଠିକରୂପେ କିପରି ଚିକିତ୍ସା ହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ରାଜ୍ଯ ସରକାରଙ୍କ ଅନୁରୋଧ କରିଛନ୍ତି ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ।