ଚମ୍ପା: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାହୁଲଙ୍କ ଉଦ୍ଧାର ପାଇଁ ଚାଲିଥିଲା ଅପରେସନ ଜିନ୍ଦେଗୀ । ରେସ୍କ୍ୟୁ ଅପରେସନ ସରିଛି । ରାହୁଲ ପାଖରେ ପହଞ୍ଚି ସାରିଛନ୍ତି ଉଦ୍ଧାରକାରୀ ଦଳ । ଆଉ ଯେଉଁ କିଛି ଇଞ୍ଚର ଦୂରତା ରହିଛ, ହ୍ୟାଣ୍ଡ ଡ୍ରିଲ ସାହାଯ୍ୟରେ ତାକୁ ହଟାଇବାକୁ ଚାଲିଛି ଉଦ୍ୟମ । ଯେକୌଣସି ସମୟରେ ରାହୁଲ ଉଦ୍ଧାର ହୋଇ ବୋରଓ୍ବେଲରୁ ଟନେଲ ଦେଇ ପଦାକୁ ବାହାରିବ ।

ଗତ ଶୁକ୍ରବାରରୁ ବୋରଓ୍ବେଲରେ ଫସିଥିବା ରାହୁଲର ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଅବନତି ଘଟିଛି । ଦୀର୍ଘ ସମୟ ହେଲା ରାହୁଲ କିଛି ଖାଇନାହିଁ । ତେବେ ରାହୁଲ ବିପଦ ମୁକ୍ତ ଥିବା ତା’ ଉପରେ ନଜର ରଖିଥିବା ଡାକ୍ତରୀ ଟିମ୍ କହିଛନ୍ତି । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଆଶଙ୍କାରେ ରାହୁଲ ପାଖକୁ ତରଳ ଔଷଧ ପଠାଯାଇଛି ।

ସୁଡ଼ଙ୍ଗ ଭିତରକୁ ଅକ୍ସିଜେନ ସିଲିଣ୍ଡର ଓ ଷ୍ଟ୍ରେଚର ନିଆଯାଇଛି । ରାହୁଲ ଉଦ୍ଧାର ହେବା ମାତ୍ରେ ଷ୍ଟ୍ରେଚରରେ ତାକୁ ଆମ୍ବୁଲାନ୍ସ ପାଖକୁ ଅଣାଯିବ । ଗହଳି କମାଇବା ପାଇଁ ଟନେଲ ପାଖରେ ରୁଣ୍ଡ ହୋଇଥିବା ହଜାର ହଜାର ଲୋକଙ୍କୁ ପୋଲିସ ହଟାଇବା ଆରମ୍ଭ କରିଛି । ରାହୁଲକୁ ମେଡିକାଲ ନେବା ପାଇଁ ରୋଡ କରିଡର ତିଆରି କରାଯାଇଛି । ରାସ୍ତାରେ ପଡୁଥିବା ସମସ୍ତ ମେଡିକାଲକୁ ହାଇ ଆଲର୍ଟରେ ରଖାଯାଇଛି । ବିଳାସପୁରର ଆପୋଲ ହସ୍ପିଟାଲକୁ ରାହୁଲକୁ ନିଆଯିବାକୁ ବ୍ୟବସ୍ଥା କରାଯାଇଛି । ତେବେ ବାଟରେ ନେବା ବେଳେ ରାହୁଲର ସ୍ବାସ୍ଥ୍ୟରେ ଅବତି ଘଟିରେ ଆଖପାଖରେ ଥିବା ମେଡିକାଲରେ ଭର୍ତ୍ତି କରାଯିବାକୁ ଯୋଜନା କରାଯିବା ସହ ଏହି ରୁଟର ସମସ୍ତ ମେଡିକାଲକୁ ଆଲର୍ଟରେ ରଖାଯାଇଛି ।

ରାହୁଲ ଉଦ୍ଧାରରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ସହ ସେନା ସେନା ସାମିଲ ହୋଇଛି । ସେନା ସାମିଲ ହେବା ପରେ ଉଦ୍ଧାର କାର୍ଯ୍ୟ ଅଧିକ ତ୍ବରାନ୍ବିତ ହୋଇଥିବା ଦେଖିବାକୁ ମିଳିଥିଲା ।

ରାହୁଲକୁ ଉଦ୍ଧାର କରିବା ପାଇଁ ପ୍ରାୟ ୬୫ ଫୁଟର ଟନେଲ ଖୋଳାଯିବା ପରେ ଏକ ବିରାଟ ପଥର ପଡିଥିଲା । ଯାହାକୁ କାଟି ରାହୁଲ ପାଖକୁ ଯିବା କଷ୍ଟକର ହୋଇଥିଲା । ପଥର ସେପଟେ ରାହୁଲ ଥିବାରୁ ଏହାକୁ ବିସ୍ଫୋରଣରେ ମଧ୍ୟ ଉଡାଇବା ସମ୍ଭବ ନଥିଲା । ଏମିତି ସ୍ଥିତିରେ ଉଦ୍ଧାରକାରୀ ଦଳ ପଥରକୁ ଗ୍ୟାସ କଟର ଓ ସେଣି, ହାତୁଡିରେ କାଟି ଆଗକୁ ବଢିଥିଲେ । ରାହୁଲଠାରୁ ୪ରୁ ୫ ଫୁଟ୍ ଦୂରରୁ ମେସିନରେ ସୁଡ଼ଙ୍ଗ କରିବା ବନ୍ଦ କରାଯାଇ ହାତରେ ଖୋଳା ଯାଉଛି ।