ଅତୀତର ଅସ୍ତହୀନ ସାମ୍ରାଜ୍ୟର ସମ୍ରାଜ୍ଞୀଙ୍କ ଅସ୍ତ; ବ୍ରିଟେନକୁ ଶକ୍ତିଶାଳୀ ରାଷ୍ଟ୍ର କରିବାରେ ଥିଲା ପ୍ରମୁଖ ଭୂମିକା

ଲଣ୍ଡନ: ପରଲୋକରେ ବ୍ରିଟେନ ଶେଷ ସମ୍ରାଜ୍ଞୀ । ୯୬ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏଲିଜାବେଥ ଦ୍ୱିତୀୟ। ବ୍ରିଟେନକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିବା ଏଲିଜାବେଥଙ୍କ ପରଲୋକ ସାରା ବିଶ୍ୱରେ ଶୋକ ଖେଳାଇ ଦେଇଛି। ସ୍କଟଲ୍ୟାଣ୍ଡସ୍ଥିତ ବାଲମୋରାଲ ଏଷ୍ଟେଟରେ ସେ ଆରପାରିକୁ ଗମନ କରିଛନ୍ତି । ରାଣୀଙ୍କ ଦେହାନ୍ତ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର କିଙ୍ଗ ଚାର୍ଲସ ରାଜା ଭାବେ ଶାସନ ଗାଦି ସମ୍ଭାଳିବେ । ରାଜନୈତିକ ଉତଥାନ ପତନ, ଆର୍ଥିକ ଓ ରାଜନୈତିକ ସଙ୍କଟ ମଧ୍ୟରେ ଦେଶକୁ ବିଶ୍ୱରେ ଟପ୍ ୫ ମଧ୍ୟରେ ସ୍ଥାନୀତ କରିବାରେ ସକ୍ଷମ ଏଲିଜାବେଥ ୧୯୫୩ରେ ସିଂହାସନ ଆରୋହଣ କରିଥିଲେ।
ସମଗ୍ର ବ୍ରିଟେନ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଥିବା ବେଳେ ତାଙ୍କର ସଫଳ ନେତୃତ୍ୱ ଓ ବ୍ୟକ୍ତିତ୍ୱ ବ୍ରିଟେନକୁ ଶକ୍ତିଶାଳୀ କରିବାରେ ସକ୍ଷମ ହୋଇଥିଲା। ସ୍କଟଲ୍ୟାଣ୍ଡରେ ସ୍ୱାଧୀନତାବାଦୀ ଆନ୍ଦୋଳନ, ୟୁରୋପୀୟ ୟୁନିଅନରୁ ବ୍ରିଟେନ ବାହାରିଯିବା, ଉତ୍ତର ଆୟାରଲ୍ୟାଣ୍ଡରେ ଅଲଗା ହେବାକୁ ନେଇ ସଙ୍କଟ ଏବଂ ଦେଶର ଆର୍ଥିକ ଦୁର୍ଦ୍ଦିନ କାଳରେ ଏଲିଜାବେଥଙ୍କ ପରଲୋକ ଦେଶର ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଛି । ବ୍ରିଟେନର ସବୁଠାରୁ ଦୀର୍ଘକାଳ ଶାସନର ରେକର୍ଡ ୨୦୧୫ରେ ଭାଙ୍ଗିଥିଲେ ଏଲିଜାବେଥ । ପୂର୍ବରୁ ୧୮୩୭ରୁ ୧୯୦୧ ଯାଏ ରାଣୀ ଭିକ୍ଟୋରିଆ ସର୍ବାଧିକ କାଳ ଶାସନ କରିବାର ରେକର୍ଡ ହାସଲ କରିଥିଲେ। ଗତବର୍ଷ ଏପ୍ରିଲରେ ୯୯ ବର୍ଷ ବୟସରେ ପରଲୋକ ଗମନ କରିଥିଲେ ସ୍ୱାମୀ ତଥା ସମ୍ରାଟ ଫିଲିପ୍ । ୧୯୯୭ରେ ପ୍ରିନ୍ସେସ୍ ଡାଏନାଙ୍କ ମୃତ୍ୟୁକୁ ନେଇ ରାଜ ପରିବାର ନୀରବ ରହିବାକୁ ନେଇ ନିନ୍ଦିତ ହୋଇଥିବା ଏଲିଜାବେଥ ୨୦୧୨ରେ ନିଜ ଶାସନର ୬୦ ବର୍ଷ ପୂର୍ତ୍ତି କରି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ସେହି ବର୍ଷ ଲଣ୍ଡନରେ ଅଲିମ୍ପିକ୍ସ ଗେମ୍ସ ଆୟୋଜିତ ହେବା ପରେ ସବୁ ଶ୍ରେୟ ରାଣୀଙ୍କ ନିକଟକୁ ଯାଇଥିଲା।
ଚଳିତବର୍ଷ ନିଜ ଶାସନର ୭୦ ବର୍ଷ ପୂର୍ତ୍ତି ଅବସରରେ ଗତ ଜୁନରେ ସେ ପାଳନ କରିଥିଲେ ପ୍ଲାଟିନମ ଜୁବଲି। ବିଶେଷ କରି ନିଜ ପରିବାରର ସଦସ୍ୟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନାର ପାତ୍ର ସାଜିଥିବା ବ୍ରିଟେନ ରାଜ ପରିବାର ବିଶ୍ୱବ୍ୟାପୀ ଚର୍ଚ୍ଚାରେ ରହିଆସିଛି । ୧୯୨୬ ଏପ୍ରିଲ ୨୧ରେ ଜନ୍ମଗ୍ରହଣ କରିଥିଲେ ଏଲିଜାବେଥ ଆଲେକଜାଣ୍ଡ୍ରା ମାରି । ଲଣ୍ଡନର ମେ ଫେୟାରରେ ଜନ୍ମିତ ଏଲିଜାବେଥ ୧୯୫୩ ଜୁନରେ ମାତ୍ର ୨୫ ବର୍ଷ ବୟସରେ ହୋଇଥିଲେ ବ୍ରିଟେନର ମହାରାଣୀ। ବ୍ରିଟେନ ଇତିହାସରେ ପ୍ରଥମ ଥର ଲାଗି ବିଶ୍ୱର ପ୍ରାୟ ୨ କୋଟି ଲୋକ ଏହି ଉତ୍ସବକୁ ଟେଲିଭିଜନରେ ଦେଖିଥିଲେ। ସାରା ବ୍ରିଟେନବାସୀଙ୍କ ଲାଗି ସର୍ବଦା ବ୍ୟଗ୍ର ଥିଲେ ଏଲିଜାବେଥ। ଏପରିକି ବିଭିନ୍ନ କାର୍ଯ୍ୟକ୍ରମ, ସଭା, ସମୀକ୍ଷା ବୈଠକକୁ ସେ ଗୁରୁତର ସହ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେବାକୁ ନେଇ ସାରା ଦେଶବାସୀଙ୍କ ସେ ଆସ୍ଥା ଭାଜନ ହୋଇଥିଲେ।