ଲିବ୍ୟାରେ ବନ୍ୟା ତାଣ୍ଡବ, ଗଲାଣି ୫ ହଜାରରୁ ଅଧିକ ଲୋକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପୃଥିବୀର ପିଛା ଛାଡୁନି ପ୍ରାକୃତିକ ଦୁର୍ବିପାକ । ମୋରକ୍କୋରେ ଭୟଙ୍କର ଭୂକମ୍ପ ପରେ ଏବେ ଲିବ୍ଯାରେ ବନ୍ୟା ରଚିଛି ତାଣ୍ଡବ । ୫  ହଜାରରୁ ଅଧିକ ଲୋକଙ୍କ ଯାଇଛି ଜୀବନ । ନିଖୋଜ ହୋଇଛନ୍ତି ୧୦ ହଜାରରୁ ଅଧିକ ଲୋକ । ତେବେ ମୃତ୍ୟୁସଂଖ୍ଯା ବହୁ ଅଧିକ ହେବ ବୋଲି ସୂଚନା ମିଳିଛି । ଭୂମଧ୍ଯସାଗରୀୟ ବାତ୍ୟା ପରେ କେତେକ ଡ୍ଯାମ ଭୁଶୁଡିପଡିବା ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଡେରନାର ପୂର୍ବାଞ୍ଚଳ ହୋଇଛି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । ଡେରନା ସହରରେ ୧ ଲକ୍ଷ ୨୫ ହଜାର ଲୋକ ବସବାସ କରୁଥିବାବେଳେ ଅଧିକାଂଶ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଶହ ଶହ କାର ଭାସିଯାଇଥିବା ସହ ଅନେକ ଘର ଧୂଳିସାତ୍ ହୋଇଛି । କେବଳ ଏହି ସହରରେ ମୃତ୍ଯୁ ସଂଖ୍ଯା 2 ହଜାର ହୋଇଥିବାବେଳେ ଅନ୍ଯାନ୍ୟ ଅଞ୍ଚଳରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଲିବ୍ଯାର ଦ୍ବିତୀୟ ବୃହତ୍ତମ ସହର ବେଙ୍ଘାଜିରେ ବି ତାଣ୍ଡବ ରଚିଛି ବନ୍ୟା । ଦେଶର ବିଭିନ୍ନ ସ୍ଥାନରେ ରେଡକ୍ରସପକ୍ଷରୁ ସହାୟତା କାର୍ଯ୍ୟ ଜାରି ରହିଛି । ତୁର୍କୀ ସମେତ ଅନ୍ଯାନ୍ୟ ରାଷ୍ଟ୍ର ଲିବ୍ୟାକୁ ସହାୟତାର ହାତ ବଢାଇଛନ୍ତି । ଲିବ୍ଯା ବର୍ତ୍ତମାନ ରାଜନୈତିକ ଭାବେ ପୂର୍ବ ଓ ପଶ୍ଚିମ ଲିବ୍ୟାରେ ବିଭକ୍ତ ହୋଇଥିବାବେଳେ ଭୟଙ୍କର ବନ୍ୟା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।