ରାଜ୍ୟ ବିଜେପି ସଭାପତିଙ୍କୁ ବିଜେଡିର ସମାଲୋଚନା, ଚାପରେ ତଥ୍ୟହୀନ ମନ୍ତବ୍ୟ ଦେଇଛନ୍ତି ମନମୋହନ

ଭୁବନେଶ୍ବର : ଆଇଟି ରେଡ୍ ନେଇ ରାଜ୍ୟ ବିଜେପି ସଭାପତିଙ୍କୁ ସମାଲୋଚନା କରିଛି ବିଜେଡି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, ଗତ ୮ ଓ ୧୨ ତାରିଖରେ ଆଇଟି ରେଡ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଦୁଇଟି ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଥିଲେ । ଜବତ ହୋଇଥିବା ଟଙ୍କା କଂଗ୍ରେସ ରାଜ୍ୟସଭା ସାଂସଦଙ୍କର ବୋଲି କହିବା ସହ ଏଥିପାଇଁ କଂଗ୍ରେସକୁ ସମାଲୋଚନା କରିଥିଲେ ।

ହେଲେ ରାଜ୍ୟ ବିଜେପି ସଭାପତି ମନମୋହନଙ୍କ ମନ୍ତବ୍ୟ ଶୁଣିଲେ ଲାଗୁଛି ତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଅଧିକ ତଥ୍ୟ ରହିଛି । ତାଙ୍କ ପାଖରେ ଯଦି ଅଧିକ ତଥ୍ୟ ରହିଛି ତେବେ ଏହାକୁ ତାଙ୍କ ଦଳର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଲେ ଭଲ ହୁଅନ୍ତା ବୋଲି ଲେନିନ କହିଛନ୍ତି । ଅନ୍ୟପଟେ ଆୟକର ବିଭାଗ ଅତୀତରେ ଉତ୍ତରପ୍ରଦେଶରେ ଚଢାଉ କରି ୫୦୦ କୋଟି ଏବଂ ସୁନା, କର୍ଣ୍ଣାଟକରୁ ୩୦୦ କୋଟି ଓ ମହାରାଷ୍ଟ୍ରରୁ ମଧ୍ୟ କୋଟି କୋଟି ଟଙ୍କା ଜବତ କରିଛି । ଏହି ଜବତ ଟଙ୍କା ବିଜେପି ନେତାଙ୍କର କି ବୋଲି ପ୍ରଶ୍ନ କରିଛି ବିଜେଡି । ମନମୋହନଙ୍କ ଉପରେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଚାପ ରହୁଛି । ଚାପର ବଶବର୍ତ୍ତୀ ହୋଇ ସେ ତଥ୍ୟହୀନ ମନ୍ତବ୍ୟ ଦେଉଛନ୍ତି ବୋଲି ଲେନିନ କହିଛନ୍ତି ।