ପକେଟକୁ ବାଧିଲାଣି ଲେମ୍ବୁ ଦର, କିଲୋ ପିଛା ୨୦୦ ଟଙ୍କା

ରାଜକୋଟ: ଖରାଦିନ ଆସିବା ମାତ୍ରେ ଖଟାଫଳର ଚାହିଦା ଯଥେଷ୍ଟ ବଢ଼ିଯାଏ । ଏଇ ଯେମିତି ଲେମ୍ବୁ । ଗରମ ଭାତ ହେଉ କିମ୍ବା ପଖାଳ କଂସା  । ସାଥୀରେ ଲେମ୍ବୁ ନଥିଲେ ଖାଇବା ଯେମିତି ଫିକା ଫିକା ଲାଗେ । ଏହାକୁ ବାଦ୍‌ ଦେଲେ ଖରାଦିନ ଆସିବା ମାତ୍ରେ ଲୋକ ଘୋଳ ଦହି ଠାରୁ ଆରମ୍ଭ କରି ଆଖୁ ରସ, ଲେମ୍ବୁ ରସ ଭଳି ପାନୀୟ ପିଇବାକୁ ବେଶ୍‌ ପସନ୍ଦ କରନ୍ତି । ଏ ସବୁ ମଧ୍ୟରେ ସବୁଠାରୁ ଶସ୍ତା ହେଉଛି ଲେମ୍ବୁ ଯାହା ପ୍ରତ୍ୟକଟି ସ୍ଥାନରେ ଅତି ସହଜରେ ଉପଲବ୍ଧ ହୁଏ । କିନ୍ତୁ ଚଳିତ ବର୍ଷ ଲେମ୍ବୁ ଦର ଆକାଶ ଛୁଆଁ । ପରିବା ଦୋକାନକୁ ଗଲେ ଇଛା ଥିଲେ ମଧ୍ୟ ଗ୍ରାହକ ଲେମ୍ବୁ କିଣିବାକୁ ମନ ବଳାଉ ନାହାଁନ୍ତି । କାରଣ ଲେମ୍ବୁ କିଲୋପିଛା ଦର ୨୦୦ ଟଙ୍କାରେ ପହଞ୍ଚିଛି । ଗୁଜୁରାଟର ରାଜକୋଟରେ ଲେମ୍ବୁ କିଲୋ ପିଛା ୨୦୦ରେ ବିକ୍ରି ହେଉଛି ।   ଏଭଳି ସ୍ଥିତିରେ ଗରୀବଟିଏ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡରେ ହାତ ଦେଲେଣି ।

ସୂଚନାଯୋଗ୍ୟ ପୂର୍ବରୁ ଲେମ୍ବୁ କିଲୋପିଛା ମୂଲ୍ୟ ୫୦ରୁ ୬୦ ଟଙ୍କା ବିକ୍ରି ହେଉଥିଲା । ଯାହା ବର୍ତ୍ତମାନ ବଢ଼ି ୨୦୦ ଟଙ୍କାରେ ପହଞ୍ଚିଛି । ଏହି ଦର ଲୋକଙ୍କ ପକେଟକୁ ଭାରି ପଡ଼ୁଛି । ଖାଉଟି ହନ୍ତସନ୍ତ ।

ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ଲେମ୍ବୁର ବଜାର ମୂଲ୍ୟ ଦୁଇଗୁଣାରୁ ମଧ୍ୟ ଅଧିକ । କେବଳ ଖାଉଟି ନୁହଁନ୍ତି ବରଂ ବେପାରୀଙ୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି । କାରଣ ଲୋକ ଯେତିକି ଲେମ୍ବୁ କିଣିବା କଥା ସେତିକି ପରିମାଣର କିଣୁ ନାହାଁନ୍ତି । ଯଥେଷ୍ଟ କମ୍‌ ପରିମାଣର କିଣୁଥିବାରୁ ବେପାରୀଙ୍କ ବେପାର ମାନ୍ଦା ।

ତେବେ କେବଳ ଲେମ୍ବୁ କାହିଁକି ଚଳିତବ ବର୍ଷ ଖାଇବା ତେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌, ପନିପରିବା ଏବଂ ତା ସାଙ୍ଗକୁ ଏବେ ଦୈନିକ ପେଟ୍ରୋଲ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ବଜାର ଦର ହୁ ହୁ ହୋଇ ବଢ଼ୁଥିବାବେଳେ ଗରୀବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହେଉଛନ୍ତି ।