ବିଜେପି ଶାସନର ମାତ୍ର ୬ ମାସରେ ଆଇନ ଶୃଙ୍ଖଳାର ସ୍ଥିତି ସାଂଘାତିକ: ଲୋକେ ଅସୁରକ୍ଷିତ, ବେଧଡ଼କ ବୁଲୁଛନ୍ତି ଅପରାଧୀ
1 min readଭୁବନେଶ୍ବର: ଲୋକଙ୍କୁ ସୁରକ୍ଷା ଦେଇପାରୁନି ବିଜେପି ସରକାର । ରାଜ୍ୟବାସୀ ଅସୁରକ୍ଷିତ । ବିଜେପି ଶାସନ କ୍ଷମତାକୁ ଆସିବା ପରଠୁ ବଢ଼ି ଚାଲିଛି ଅପରାଧ । ଖୁଲମଖୁଲା ବୁଲୁଛନ୍ତି ଅପରାଧୀ, ପୋଲିସ ପ୍ରତି ନାହିଁ ଡର ଭୟ । ତଥ୍ୟକୁ ଆଧାର କରି ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମାତ୍ର ଛ ମାସରେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଓଡ଼ିଶା। ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ତା’ ଛଡ଼ା ଦଳୀୟ ଭିତ୍ତିରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ଅଭିଯୋଗ କରି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ ।
ବିଜେପି ଶାସନରେ ଭୁଶୁଡ଼ି ଯାଇଛି ରାଜ୍ୟର ଆଇନ ଶୃଙ୍ଖଳା । ଜୁନରୁ ନଭେମ୍ବର ଭିତରେ ସ୍ଥିତି ସାଂଘାତିକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଭାବେ ବିଧାନସଭାକୁ ଯେଉଁ ଉତ୍ତର ଦେଇଛନ୍ତି, ସେଥିରୁ ଏହା ସ୍ପଷ୍ଟ ହୋଇଛି । ଏହି ୬ ମାସ ଭିତରେ ୫୦୯ ଦୁଷ୍କର୍ମ, ୪୧ ଦୁଷ୍କର୍ମ ଉଦ୍ୟମ, ୭୬୯ ନାବାଳିକା ଦୁଷ୍କର୍ମ, ୪୫୯ ହତ୍ୟା, ୧୬୧ ମହିଳା ହତ୍ୟା, ୯୨୪୮ ମହିଳା ନିର୍ଯାତନା, ୨୪ ଯୌତୁକ ହତ୍ୟା ଓ ୫୩୯୮ ଯୌତୁକ ଜନିତ ନିର୍ଯାତନା ମାମଲା ରୁଜୁ ହୋଇଛି ।
ଏହି ଉଦବେଗଜନକ ଆଇନ ଶୃଂଖଳା ପରିସ୍ଥିତି ନେଇ ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେମାନେ ଅଭିଯୋଗ କରିଛନ୍ତି, ଅପରାଧ ବଢୁଥିବା ସତ୍ତେ, ପୋଲିସ ନୀରବଦ୍ରଷ୍ଟା ସାଜିଛି । କଟକରେ ଦୁଷ୍କର୍ମ ମାମଲାରେ ପୋଲିସ FIR ରଖିଲାନି । ପୋଲିସ ନିଜ କାମ ଠିକରେ କରୁନଥିବାରୁ ଅପରାଧୀଙ୍କ ସାହସ ବଢ଼ିଛି । ଏମିତି ବି ହେଉଛି ବିଜେପି କର୍ମୀଙ୍କୁ ଦିଆଯାଉଛି ଜାମିନ, କିନ୍ତୁ ବିଜେଡି କର୍ମୀଙ୍କୁ ଜେଲ ପଠାଯାଉଛି । ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିଲେ, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନାହିଁ । ତଥ୍ୟ ସଂଗ୍ରହ କରାଯାଉଛି କହି କଥାକୁ ଫାଙ୍କି ଦେଲେ ମୁଖ୍ୟମନ୍ତ୍ରୀ । ଭରତପୁର ଥାନା ମାମଲାରେ ସତ୍ୟପାଠ ପରେ ସତ୍ୟପାଠ ଦାଖଲ ଚାଲିଛି । କିନ୍ତୁ ତଦନ୍ତରେ ଅଗ୍ରଗତି ନାହିଁ । ସେହିପରି ଚିକିଟି ମଦ ମୃତ୍ୟୁ, ଆମ୍ବ ଟାକୁଆ ମୃତ୍ୟୁ, ରଥଯାତ୍ରା ବିଭ୍ରାଟର ତଦନ୍ତରେ ଅଗ୍ରଗତି ନାହିଁ । ଏହାର ପ୍ରତିବାଦରେ ଆନ୍ଦୋଳନର ଧମକ ଦେଇଛି ବିଜେଡି ।
DG ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଗଲା । ତାଙ୍କ ଶାସନରେ ମାଓବାଦୀ କାର୍ଯ୍ୟକଳାପ କମିଛି । ସେତେବେଳେ ପୋଲିସ କାମରେ ବିଜେଡି ହସ୍ତକ୍ଷେପ କରୁ ନଥିବାରୁ ଆଇନ ଶୃଂଖଳା ଠିକ୍ ଥିଲା ବୋଲି କହିଛି ବିଜେଡି । ଏବେ କିନ୍ତୁ ପୋଲିସ ଉପରେ ବିଜେପିର ପ୍ରବଳ ଚାପ । ଯାଜପୁର ଘଟଣାରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ସେପଟେ ଚାନ୍ଦବାଲିର ୧୪୪ ଧାରା ଅଞ୍ଚଳରେ ମନମୋହନ ସାମଲ ରାଲି କରିଥିବାର ଅଭିଯୋଗ ହୋଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ନଥିବାର ଏହା ବଡ଼ ଉଦାହରଣ ବୋଲି କହିଛି ବିଜେଡି । କଂଗ୍ରେସର ଅଭିଯୋଗ, ବିଜେପି ସରକାରରେ ଗରିବଙ୍କ ଗୋଟିଏ ଆଇନ, ଧନୀଙ୍କ ପାଇଁ ଆଉ ଏକ ଆଇନ ।
ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ପରେ ଆଇନ ଶୃଂଖଳା ବିଗିଡ଼ିଥିବା ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ଚେଷ୍ଟା କରିଛି ବିଜେପି । ଚିରାଚରିତ ଭାବେ ପୂର୍ବ ସରକାରକୁ ଦାୟୀ କରିବା ସହ ନିଜକୁ ଶିଶୁ ସରକାର କହି ଖସିବାକୁ ଅପଚେଷ୍ଟା କରିଛି ।
ରାଜ୍ୟରେ କେତେ ଜାମିନ ବିହୀନ ପରଓ୍ବାନା ଜାରି ହୋଇଛି, ସେ ତଥ୍ୟ ବି ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଏହାର ତଥ୍ୟ ସଂଗ୍ରହ କରାଯାଉଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି । ଅପରାଧ ଓ ଅପରାଧୀଙ୍କ ପ୍ରତି ସରକାରଙ୍କ ଢିଲା ମନୋଭାବ ହିଁ ରାଜ୍ୟକୁ ଅସୁରକ୍ଷିତ କରିଥିବା ବିରୋଧୀ କହିଛନ୍ତି ।