୨୦୨୧ରେ ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି ଆଇନଶୃଙ୍ଖଳା, ଲୋକଙ୍କୁ ମିଳିଛି ତ୍ୱରିତ ନ୍ୟାୟ

ଭୁବନେଶ୍ୱର: ଗୃହ ବିଭାଗ ୨୦୨୧ର ଶ୍ୱେତପତ୍ର ଜାରି କରିଛି । ଗୃହ ବିଭାଗର ୨୦୨୧ ବର୍ଷର ଶ୍ୱେତପତ୍ର ସମସ୍ତ ବିଧାୟକଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ମାଓବାଦୀଙ୍କ ସହ ୨୧ଟି ଗୁଳି ବିନିମୟ ଘଟଣା ସହ ମୋଟ ୨୮ଟି ଘଟଣା ଘଟିଛି । ୨୦୨୧ ମସିହାରେ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖା ଦେଇନଥିଲା । ଏଯାଏଁ ରାଜ୍ୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ ବୋଲି ଶ୍ୱେତପତ୍ରରେ ପ୍ରକାଶ କରାଯାଇଛି । ୨୦୨୧ ବର୍ଷରେ ରାଜ୍ୟରେ ବାମପନ୍ଥୀ ଓ ଉଗ୍ରବାଦୀ ସ୍ଥିତି ସାମଗ୍ରୀକ ଭାବେ ନିୟନ୍ତ୍ରଣାଧୀନ ଥିଲା । ରାଜ୍ୟରେ ମାଓ ହିଂସା ହ୍ରାସ ପାଇବା ସହ ମାଓବାଦୀଙ୍କ ପ୍ରତି ଜନ ସମର୍ଥନ ମଧ୍ୟ ହ୍ରାସ ପାଇଛି । ୧୦ଟି ମାଓ ପ୍ରଭାବିତ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱିତ ହୋଇଛି । ମାଓବାଦୀଙ୍କ ସହ ଗୁଳି ବିନିମୟରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୬ ଜଣଙ୍କୁ ଗିରଫ କରାଯାଇଛି । ୨୧ ଜଣ ଆତ୍ମସମର୍ପଣ କରିଥିବା ବେଳେ ୩୦ଟି ବନ୍ଧୁକ, ୪୮ଟି ବିସ୍ଫୋରକ ଭଳି ବହୁ ସାମଗ୍ରୀ ଜବତ ହୋଇଛି ।

ଶ୍ୱେତପତ୍ରର ତଥ୍ୟ ଅନୁସାରେ, ୨୦୨୧ ମସିହାରେ ୧ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ରୁଜୁ କରାଯାଇଛି । ସେଥିରୁ ହଜାରେ ୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ଟି ଲୁଣ୍ଠନ, ୫୧୩୩ଟି ସିନ୍ଧି ଚୋରି, ୧୩ ହଜାର ୨୪ଟି ଚୋରି, ୫୧୩୮ଟି ପ୍ରତାରଣା, ୨୨୨୦ଟି ଦଙ୍ଗା, ୩୩୨୭ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ରାଜ୍ୟରେ ଯୌତୁକ ନିର୍ଯାତନା ମାମଲା ମଧ୍ୟରୁ ୧୦୯୬ଟି ମକଦ୍ଦମା ତଦନ୍ତାଧିନ ରହିଛି । ଚୋରି ମାମଲାରେ ୫୪୫୮, ପ୍ରତାରଣାରେ ୧୪୦୬, ମାରପିଟରେ ୧୩୭୭ ଓ ଦୁଷ୍କର୍ମରେ ୨୩୩୫ଟି ମାମଲାର ଚାର୍ଜିସଟ୍ ଦାଖଲ ହୋଇଛି । ସେହିପରି ଗତବର୍ଷ ୧୦ ହଜାର ୯୮୩ ମୋଟର ଯାନ ଦୁର୍ଘଟଣା ରୁଜୁ ହୋଇଛି । ସାମଗ୍ରିକ ଭାବେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୧ ଲକ୍ଷ ୪୯ ହଜାର ୨୩୨ଟି ମାମଲା ସତ୍ୟ ବୋଲି ଜଣାପଡ଼ିଛି । ଏହା ମଧ୍ୟରୁ ୧ ଲକ୍ଷ ୬ ହଜାର ୨୮୩ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ।