ଶ୍ରାବଣ ଶେଷ ସୋମବାର, ଶୈବପୀଠରେ ଭକ୍ତିମୟ ପରିବେଶ

ଭୁବନେଶ୍ବର: ଶ୍ରାବଣ ଶେଷ ସୋମବାରରେ ସାରା ରାଜ୍ୟରେ ଭକ୍ତିମୟ ପରିବେଶ । ଶୈବପୀଠରେ ଲାଗିଛି କାଉଡ଼ିଆଙ୍କ ଭିଡ଼ । ପବିତ୍ର ଜଳରେ ବାବାଙ୍କୁ ଅଭିଷେକ କରୁଛନ୍ତି କାଉଡ଼ିଆ । ରାଜ୍ୟ ଓ ରାଜ୍ୟ ବାହାରୁ କାଉଡ଼ିଆମାନେ ଛୁଟି ଆସିଛନ୍ତି ବାବାଙ୍କ ପୀଠକୁ । ଲିଙ୍ଗରାଜ ବାବା, ବାବା ଆଖଣ୍ଡଳମଣି, ଲୋକନାଥ ବାବା, ଚନ୍ଦନେଶ୍ବର ବାବା, ପଞ୍ଜଲିଙ୍ଗେଶ୍ବର ବାବା, କପିଳାସ ବାବାଙ୍କ ପୀଠ ସହ ଅନ୍ୟ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ । ମଳମାସ ଶେଷ ହେବା ପରେ ଅଗଷ୍ଟ ମାସର ଶେଷ ଦୁଇଟି ସୋମବାର ଜଳଲାଗିର ବ୍ୟବସ୍ଥା ରହିଥିବା ସଂସ୍କୃତି ଗବେଷକମାନେ କହିଥିଲେ ।

ବାବା ଲିଙ୍ଗରାଜଙ୍କ ପୀଠରେ ଦେଖିବାକୁ ମିଳିଥିଲା କାଉଡ଼ିଆଙ୍କ ଭିଡ଼ । ଦୂର ଦୂରାନ୍ତରୁ ବାବାଙ୍କୁ ଜଳଲାଗି ପାଇଁ ଛୁଟି ଆସିଛନ୍ତି ବାବାଙ୍କ ଭକ୍ତ । ଭକ୍ତଙ୍କ ସୁରକ୍ଷା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରୁଛନ୍ତି ସହସ୍ରାଧିକ କାଉଡିଆ । ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ଆସିଛନ୍ତି କାଉଡିଆ । ଶୃଙ୍ଖଳିତ ଜଳାଭିଷେକ ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା ସହିତ ସ୍ବତନ୍ତ୍ର ବ୍ଯାରିକେଟ କରାଯାଇଛି । ଅନ୍ଯପଟେ ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ସକାଳଧୂପ ସରିବା ପରେ ଭକ୍ତଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସାହଣମେଲା ରହିଛି ।

ଶ୍ରାବଣ ଶେଷ ସୋମବାର ପାଇଁ ଜଳେଶ୍ବର ଚନ୍ଦନେଶ୍ଵର ଶୈବପୀଠ ଚଳଚଞ୍ଚଳ । ମହାଦେବଙ୍କ ପାଖରେ ଜଳାଭିଷେକ କରୁଛନ୍ତି କାଉଡିଆ । ଗୋଟିଏ ଦିନ ପରେ ପୁର୍ଣ୍ଣିମା ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଛି ।

ସେହିପରି ନୀଳଗିରର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ବର ପୀଠାରେ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଭିଡ଼ । ବୋଲବମ୍ ହରହର ବମ୍ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ । ଭୋର ୪ଟାରୁ ଭକ୍ତ ଜଳାଭିଷେକ କରିବା ଆରମ୍ଭ କରିଦେଇଛନ୍ତି ।

ସେହିପରି, ରାଜ୍ୟର ଅନ୍ୟ ଶୈବପୀଠରେ ମଧ୍ୟ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ସାମଗମ ।