ଶେଷ ରଜ: ଗାଁଠୁ ସହର ଉତ୍ସବମୁଖର, ପିଠାପଣାର ବାସ୍ନାରେ ମହକୁଛି ପରିବେଶ

1 min read

ଭୁବନେଶ୍ବର: ଆଜି ଶେଷ ରଜ । ପହିଲି ରଜ ଓ ରଜ ସଂକ୍ରାନ୍ତି ପରି ଆଜି ମଧ୍ୟ ସାରା ରାଜ୍ୟରେ ରଜ ଉତ୍ସବ ଦେଖିବାକୁ ମଳିଛି । ଓଡ଼ିଶାର ଏହି ଗଣପର୍ବକୁ ଧୂମଧାମରେ ପାଳନ କରିଛନ୍ତି ଲୋକେ । କେଉଁଠି କବାଡି ପ୍ରତିଯୋଗୀତା ତ କେଉଁଠି ପୁଚି ଖେଳ । କେଉଁଠି ଲୁଡୁ ଓ ତାସର ଜମିଛି ଆସର ତ ଆଉ କେଉଁଠି ମେହେନ୍ଦି ପ୍ରତିଯୋଗିତା । ଏମିତି ଭାବେ ଗାଁଠୁ ସହର ସାରା ଓଡ଼ିଶାରେ ପାଳନ ହେଉଛି ରଜ । ଏହାସହ ଘରେ ଘରେ ତିଆରି ହେଉଛି ପିଠାପଣା । ପିଠାପଣାର ବାସ୍ନାରେ ମହକୁଛି ପରିବେଶ ।

କମ୍ପୁଛି ଭୁବନେଶ୍ବର ଧଉଳି ପାଦଦେଶ । ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ପାଳନ ହେଉଛି ଚତୁର୍ଥ ଧଉଳି ରଜ ମହୋତ୍ସବ-୨୦୨୪ । ବୈରଙ୍ଗେଶ୍ଵର ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ଅନୁଷ୍ଠିତ ହେଉଥିବା ରଜ ଉତ୍ସବରେ ମେହେନ୍ଦି, ରଜପାନ, ଅଳତା, ପୋଡ଼ପିଠା, ରଙ୍ଗୋଲି, ହୁଳହୁଳି, ଶଙ୍ଖଧ୍ବନି, ପୁଚି, ମ୍ୟୁଜିକ ଚେୟାର, ରମ୍ଭାଲ ଗେରି, ବେଲୁନ ଫୁଙ୍କା, ରଜ କୁଆଁରୀ ଓ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଓଡ଼ିଆ ସଂସ୍କୃତିର ଏହି ପାରମ୍ପରିକ ଖେଳରେ କୃତୀ ପ୍ରତିଯୋଗୀଙ୍କୁ କରାଯାଉଛି ପୁରସ୍କୃତ । ଏହାସହ ଅଭିଜିତ ମଜୁମଦାର, ଇରା ମହାନ୍ତି, ତାରିକ ଅଜିଜ ଏବଂ ବର୍ଣାଳି ହୋତାଙ୍କ ଗୀତରେ ଝୁମୁଛନ୍ତି ଶ୍ରୋତା । ସେପଟେ ନୂଆଗାଁ ଓ ନୁଆପଲ୍ଲୀରେ ରଜ ସଂକ୍ରାନ୍ତିରେ ନାହିଁ ନଥିବା ଭିଡ଼ । ପାରମ୍ପରୀକ ଦୋଳି ସାଙ୍ଗକୁ ରାମ ଦୋଳି, ଟୋରାଟେରା, ବ୍ରେକ ଡ୍ୟାନ୍ସ, ଡ୍ରାଗନ ଭଳି ଅନେକ ଦୋଳି ସାଙ୍ଗକୁ ଫୁଡ୍ କୋର୍ଟ ସାଜିଛି ସମସ୍ତଙ୍କ ଆକର୍ଷଣ ।

କଟକ ସହରର ଉପକଣ୍ଠ ଜଗତପୁର ତରୋଳଠାରେ ଧୁମଧାମରେ ରଜ ମନେଇଛନ୍ତି କୁନିକୁନି ଝିଅ, କିଶୋରୀ ଓ କୁଆଁରୀ । ଦୋଳି ଖେଳ ସାଙ୍ଗକୁ ନାଚଗୀତ, କବାଡି ଖେଳ ଓ ଫ୍ୟାସନ ଶୋ’ର ଆୟୋଜନ କରାଯାଇଛି । ଏହାସହ ପିଠାପଣା, ଆମିଷ ଓ ସୁଆଦିଆ ପାନ ରଜ ଖୁସିକୁ ଦ୍ବିଗୁଣିତ କରିଛି । ସୂତାରେ ଟଙ୍ଗା ହୋଇଥିବା ଜଲେବିକୁ ଖାଇବାକୁ କୁନି ପିଲାଙ୍କ ମଧ୍ଯରେ ଲାଗିଥିଲା ପ୍ରତିଯୋଗିତା ।

ଗଣପର୍ବ ରଜ ପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଶ୍ରୀବନ୍ତପୁର ଅଞ୍ଚଳ । ୧୯୦୫ ମସିହାରେ ଏହି ଶ୍ରୀବନ୍ତପୁର ଅଞ୍ଚଳରେ ଆରମ୍ଭ ହୋଇଥିଲା ରାମରଜା ପର୍ବ । ଦୀର୍ଘ ୧୧୯ ବର୍ଷ ଧରି ପାଳିତ ହେଉଥିବା ଏହି ଉତ୍ସବ ପୃଷ୍ଟଭୂମି କିଛି ନିଆରା । ବ୍ରିଟିଶ ଶାସନ କାଳରେ ଗାଁର କିଛି ଲୋକ ସୁଦୂର କଲିକତାରେ ଶ୍ରମକାର୍ଯ୍ୟ କରିବାକୁ ଯାଇ ଫଶି ଯାଇଥିଲେ । ସେଠାରେ ଶ୍ରୀରାମଙ୍କୁ ସ୍ମରଣ କରି ବିପଦରୁ ମୁକ୍ତି ପାଇଥିଲେ । ଏନେଇ ମାନସିକ ରକ୍ଷା କରି ରାମତାଲାରୁ ମାଟି ଆଣି ସେହିବର୍ଷରୁ ଗାଁରେ ଆରମ୍ଭ କରିଥିଲେ ରାମରଜା ପର୍ବ । ଶ୍ରୀବନ୍ତପୁର, ବାରଡାଙ୍ଗୀ, ଭଗତଭଗବାନପୁର, କାନପୁର, ଆନନ୍ଦବଜାର, ବାଗଡିଆଁ ଭଳି ୮ଟି ସ୍ଥାନରେ ପାଳିତ ହେଉଛି ଏହି ନିଆରା ପର୍ବ ।

ରଜକୁ ଧୁମଧାମରେ ପାଳନ କରୁଛନ୍ତି କେନ୍ଦ୍ରାପଡ଼ା ବାସୀ । ପୋଡ଼ ପିଠା ଓ ପାନ ବାଣ୍ଟି ଆନନ୍ଦର ସହ ପାଳନ କରୁଛନ୍ତି ରଜ ପର୍ବ । ରାଜନଗର ଡାଙ୍ଗମାଳର ମାଆ ଜୟଦୂର୍ଗାଙ୍କ ପୀଠରେ ରଜ ଉତ୍ସବ ପାଳନ କରାଯାଉଛି । ଡାଙ୍ଗମାଳ ଓ ଖମାରସାହି ପଞ୍ଚାୟତର ୫ଟି ସ୍ଵଂୟ ସହାୟକ ଗୋଷ୍ଠୀର ମାଆମାନେ ପୋଡ଼ ପିଠା ଓ ରଜ ପାନ ସମସ୍ତଙ୍କୁ ବାଣ୍ଟିଛନ୍ତି । ସେପଟେ ରଜ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମ ଦେବ ମନ୍ଦିର ପରିସରରେ ଦୀର୍ଘ ୫୦ ବର୍ଷ ହେଲା ଆୟୋଜିତ ହୋଇଆସୁଛି ପାଲା ମହୋତ୍ସବ । ଟାଙ୍ଗୀ ବଳରାମ ଦେବ କୈବର୍ତ୍ତ ସଙ୍ଘ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ମୁନିଗୁଡା ଅଂଚଳରେ ବି ରଜ ପର୍ବକୁ ଧୁମଧାମରେ ପାଳନ କରାଯାଇଛି ।

ଶେଷ ରଜର ପରଦିନ ବସୁମତୀ ମାତଙ୍କ ସ୍ନାନ ଉତ୍ସବ । ଜଗତର ମଙ୍ଗଳ କାମନା କରି  ଶିଳପୁଆ ରଖି ସ୍ନାନ କରାଇ ସିନ୍ଦୁର ଫୁଲ ଚନ୍ଦନ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରାଯାଇଥାଏ ।