ଧସୁଛି ମାଟି, ମୃତ୍ୟୁପଥ ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ

ଯାଜପୁର: ମରଣଯନ୍ତା ପାଲଟିଛି ୧୬ ନମ୍ବର ଜାତୀୟ ରାଜପଥ । ଯାଜପୁର ପାଣିକୋଇଲି ଥାନା ଷଠିପୁର ବ୍ରଜନଗରରେ ରାସ୍ତା ତଳୁ ଧସୁଛି ମାଟି । ବିପଦରେ ଯାତାୟତ କରୁଛନ୍ତି ଲକ୍ଷ ଲକ୍ଷ ଲୋକ। ରାଜପଥର ବିଭିନ୍ନ ସ୍ଥାନରେ ଏପରି ଅବସ୍ଥା ଦେଖାଯାଉଥିଲେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ନିଘା ନାହିଁ । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଜାତୀୟ ରାଜପଥ ପାଲଟିଛି ମୃତ୍ଯୁପଥ । କେତେବେଳେ ବ୍ରିଜ ଭୁଶୁଡି ପଡୁଛି ତ କେତେବେଳେ ରାସ୍ତାରୁ ମାଟି ଧସୁଛି । ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ । ପ୍ରତିଦିନ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ହଜାର ହଜାର ଯାନବାହନ । ଗତବର୍ଷ ଜୁଲାଇ ମାସରେ କୁଆଖିଆ ନିକଟରେ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ବେଳେ ଏବେ ପାଣିକୋଇଲି ଥାନା ସଠିପୁର ବ୍ରଜନଗର ନିକଟରେ ରାସ୍ତା ତଳୁ ମାଟି ଧସି ଯାଇଛି । ଫଳରେ ଯାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । କେତେବେଳେ ଯେ ବଡ଼ ଦୁର୍ଘଟଣା ନ ଘଟିବ ତାହା କହିହେବ ନାହିଁ । ନିମ୍ନମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରି ଠିକାଦାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।

କୋଲକାତାରୁ ଚେନ୍ନାଇ ବା ପୂର୍ବ ଭାରତକୁ ଦକ୍ଷିଣ ଭାରତ ସହ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରିଥାଏ । ଏହି ରାଜପଥ ଏବେ ପାଲଟିଛି ମୃତ୍ୟୁପଥ । ବର୍ଷେ ତଳେ କୁଆଖିଆ ନିକଟରେ ଭୁଶୁଡି ପଡ଼ିଥିବା ବ୍ରିଜର ଏଯାଏଁ ମରାମତି ହୋଇନାହିଁ । ସେପଟେ ସଠିପୁର ବ୍ରଜନଗର ନିକଟରେ ରାସ୍ତା ତଳୁ ମାଟି ଧସିବା ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି । ତେବେ ଶୀଘ୍ର ସମସ୍ଯାର ସମାଧାନ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

୧୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।