ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ: ମୃତ ବ୍ୟକ୍ତିଙ୍କ ନାଁରେ ବିକ୍ରି ହେଉଛି ମୂଲ୍ୟବାନ ଜମି

ବ୍ରହ୍ମପୁର: ନକଲି ଆଧାର କାର୍ଡ, ନକଲି ଭୋଟ ପରିଚୟ ପତ୍ରରେ କୋଟି କୋଟି ଟଙ୍କାର ଜମି ଠକେଇ ଅଭିଯୋଗ । ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗାନ୍ଧିନଗର ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ବଡ଼ ଧରଣର ଜମି ଠକେଇ କାରନାମା । ଠକାମୀର ଶିକାର ହୋଇଥିବା ପ୍ରକୃତ ଜମି ମାଲିକ ଥାନାରେ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ବ୍ରହ୍ମପୁର ପୋଲିସ୍ । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଗିରଫଦାରୀ ଆହୁରି ବ୍ୟାପକ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ।

ବ୍ରହ୍ମପୁର ସହରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ବିକ୍ରି ହେଉଛି ମୂଲ୍ୟବାନ ଜମି । ମାଲାମାଲ ହେଉଛନ୍ତି ଜମି ମାଫିଆ । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି । ଏ ନେଇ ଗାନ୍ଧିନଗର ଅଞ୍ଚଳର କମଳେନ୍ଦୁ ପାତ୍ର ଠକେଇର ଶିକାର ହେବା ପରେ ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାଗାକୁ ଡବ୍ଲ୍ୟୁ.ଭି.ରାମା ରାଓଙ୍କ ଠାରୁ ୧୯୭୨ରେ କିଣିଥିଲେ କମଳେନ୍ଦୁଙ୍କ ବାପା ଲକ୍ଷ୍ମୀକାନ୍ତ ପାତ୍ର । ହେଲେ ରାମା ରାଓଙ୍କ ୧୯୯୪ରେ ମୃତ୍ୟୁ ହେବା ପରେ ତାଙ୍କ ନାଁରେ ଆଧାର କାର୍ଡ କରି ଗୋପୀନାଥ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଏହାକୁ ଜଣେ ମହିଳାଙ୍କୁ ବିକ୍ରି କରିଦେଇଛନ୍ତି । ଜାଗାର ଉନ୍ନତିକରଣ ପାଇଁ ବ୍ୟାଙ୍କକୁ ଋଣ ଆଣିବାକୁ ଯିବା ବେଳେ ଏ ସଂପର୍କରେ ଜାଣିବାକୁ ପାଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଖାଲି ଏହି ଗୋଟିଏ ଘଟଣା ନୁହେଁ, ବ୍ରହ୍ମପୁର ସହରରେ ସହରର ବିଭିନ୍ନ ସ୍ଥାନରେ ମାତିଛନ୍ତି ଜମି ଦଲାଲ୍ । ନକଲି କାଗପତ୍ର କରି ଜମି ବିକି ମାଲାମାଲ ହେଉଛନ୍ତି ମାଫିଆ । ତୁରନ୍ତ ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପେଟ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ୍ ।  ଜମି ଦଲାଲି ପଛରେ ଖାଲି ମାଫିଆ ନୁହନ୍ତି କିଛି ବଡ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି ।