ଲମତାପୁଟରେ ଲଗାଣ ବର୍ଷା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ

1 min read

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଭରା ନାଳ ଭିତରେ ପଶି ବିଦ୍ୟାଳୟକୁ ଯାଉଛନ୍ତି ଛାତ୍ରଛାତ୍ରୀ। ରାସ୍ତା ଓ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଭରା ନାଳ ପାର ହୋଇ ଯାଉଛନ୍ତି ଛାତ୍ରଛାତ୍ରୀ। ଯାହାଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ବାଜିରେ ଲାଗିଛି ।

ସୂଚନା ଅନୁଯାୟୀ, ଲମତାପୁଟ ବ୍ଲକ ମାଛକୁଣ୍ଡ-ଗୋଡିପୁଟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ଗୋଡିପୁଟ ଗାଁର ଛାତ୍ର ଛାତ୍ରୀମାନେ ଜୀବନକୁ ବାଜି ଲଗାଇ ଦୀର୍ଘ ୫ କିଲୋମିଟର ମାଛକୁଣ୍ଡ ବିଦ୍ୟାଳୟକୁ ଯାଉଛନ୍ତି । ଛୁଟି ହେଲେ ପୁଣି ସେହି ନାଳ ଦେଇ ଗାଁକୁ ଫେରୁଛନ୍ତି । ବର୍ଷା ଋତୁ ଆସିଲେ ଗୋଡିପୁଟ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟୁଛି ଏହି ନାଳ।

ଅନ୍ୟପଟେ ଲମତାପୁଟରେ ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷ ଜମି ଗୁଡିକ ଏବେ ଜଳମଗ୍ନ ହୋଇଛି। ଚାଷୀଙ୍କ ଚାଷ ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ମାଛକୁଣ୍ଡ ଡି ଡ୍ୟାମରେ ବିପଦ ସଂକେତ ଉପରେ ଜଳ ପ୍ରବେଶ କରୁଛି । ମାଟି ଅତଡା ଖସି ବାଲଡା-ରୁକୁବା ରାସ୍ତା ଅବରୋଧ ହୋଇଛି। ଫଳରେ କସନ୍ଦି-ଖେମୁଣ୍ଡୁଗୁଡା ମଧ୍ୟରେ ଯାତାୟତ ଠପ ହୋଇଯାଇଛି। ଲଗାଣ ବର୍ଷାରେ କାଲାଡି ଗୁଡା ଗାଁ ନିକଟ ପାହାଡ଼ରୁ ଖଡ଼ିଲା ଅତଡା।