ଝିଅ ବାହାଘର ପାଇଁ ସାଇତି ରଖିଥିଲେ ଟଙ୍କା, ସବୁ ଜଳିଗଲା…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅନ୍ତର୍ଗତ ଯାଆଁଳା ଅଞ୍ଚଳରେ ଜଳିଗଲା ଘର । ଆଉ ଘରେ ଥିବା ସମସ୍ତ ଆସବାବପତ୍ର ସହ ଜଳିଗଲା ବିଡ଼ା ବିଡ଼ା ଟଙ୍କା । ଗତ ୨୮ ତାରିଖ ଭୋର ପ୍ରାୟ ୫ଟା ସମୟରେ ଲାଗିଥିଲା ନିଆଁ । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, କିଛି ବୁଝିବା ଆଗରୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।

ରାଜଧାନୀ ଭୁବନେଶ୍ୱରଉପକଣ୍ଠରେ ଥିବା ଯାଆଳାଁ ପଞ୍ଚାୟତ ଦକ୍ଷିଣ ମୁଣ୍ଡମୁହାଣ ଗ୍ରାମର ହରିଜନ ସାହିରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ଶରତ ଭୋଇଙ୍କ ୩ ବଖରା ଜଳି ପୋଡି ସଂପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ ଜରୁରୀ ସାମଗ୍ରୀ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ହେଲେ ସବୁଠାରୁ ବଡ଼ କଥା ହେଲା ଶରତ ଭୋଇ ନିଜ ଝିଅର ବିବାହ କରେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର କିଣି ରଖିଥିଲେ । ଯାହାକି ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ଆସବାବ ପତ୍ର ସାଙ୍ଗକୁ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ମଧ୍ୟ ଜଳିଯାଇଛି । କିଛି ଦିନ ପୂର୍ବରୁ ଝିଅ ବିବାହ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଘରେ ରଖିଥିଲେ । ସେଥିରେ ଏକାଧିକ ୫୦୦ ଟଙ୍କିଆ ବିଡ଼ା ରହଥିଲା । ଥାନାରେ ଶରତଙ୍କ ଭୋଇଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ତାଙ୍କର ପ୍ରାୟ ଦୁଇ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି । ହେଲେ ପୋଲିସ ଓ ଅଗ୍ନିଶମ ବାହିନୀର କହିବାନୁଯାୟୀ ଦୁଇ ଲକ୍ଷ ଟଙ୍କା ନୁହେଁ ପ୍ରାୟ ୭୦ ହଜାର ଟଙ୍କା ଜଳିଯାଇଛି । ଆଉ ଜଳିଯାଇଥିବା ସବୁ ନୋଟ ୫୦୦ ଟଙ୍କିଆ ବୋଲି ଜଣାପଡ଼ିଛି ।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ସଟ୍ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଏ ପାରେ ବୋଲି ଅନୁମାନ କରାଯାଉଛି । ଭୋର ସମୟରେ ହୋଇଥିବାରୁ ଘରର ସମସ୍ତ ଲୋକ ଉଠିପଡିଥିଲେ । ସୌଭାଗ୍ୟ ବସତଃ କେହି ମୃତାହତ ହୋଇନାହାନ୍ତି । ଶୁଖିଲା ଚାଳରେ ହଠାତ୍ ନିଆଁ ଲାଗିଯିବାରୁ ଘରୁ ଜିନିଷ କାଢ଼ିବା ସମ୍ଭବ ହୋଇନଥିଲା । କିନ୍ତୁ ସ୍ଥାନୀୟ ଲୋକ ନିଆଁ ବ୍ୟାପିବା ପୂର୍ବରୁ ପାଖ ଚାଳ ଓଲାରି ପକାଇ ଥିଲେ । ଫଳରେ ନିଆଁ ବ୍ୟାପି ପାରି ନଥିଲା। ଖବର ପାଇ ଜଟଣୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ଶରତଙ୍କ ଘରର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା ।

Leave a Reply