ଲଖିମପୁର ଖିରି ମାମଲା: ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ୟୁପି ସରକାର

1 min read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର-ଖେରି ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଏହି ମାମଲାରେ କିଏ ଦୋଷୀ ଓ ଏପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛିସେ  ଏନେଇ ଆଜି ୟୁପି ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବେ । ଗତକାଲି ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ରିପୋର୍ଟ ତଲବ କରିବା ପରେ ତରବରିଆ ଭାବେ ୟୁପି ପୋଲିସ୍‌ ଦୁଇ ଜଣକୁ ଗିରଫ କରିବା ସହ ଆକ୍ସନ ମୁଡକୁ ଆସିଛି ।

ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସମନ କରିଛି SIT। ଆଜି ଦିନ ୧୦ଟାରେ ହାଜର ହେବାକୁ ଆଶିଷଙ୍କୁ ନୋଟିସ ପଠାଇଛି । ମନ୍ତ୍ରୀ ଅଜୟ ମିଶ୍ରଙ୍କ ଘର ଆଗରେ ଏହି ନୋଟିସ ଲଗାଯାଇଥିବା ଦେଖାଯାଇଛି । ପୂର୍ବରୁ ଗିରଫ ଦୁଇ ଅଭିଯୁକ୍ତ ଆଶିଷ ପାଣ୍ଡେ ଓ ଲବ କୁଶଙ୍କୁ ପଚରାଉଚରା କରୁଛି ପୋଲିସ । ଜେରା ବେଳେ ଦୁହିଁଙ୍କଠାରୁ ଘଟଣା ସମ୍ପର୍କରେ ଅନେକ ତଥ୍ୟ ହସ୍ତଗତ ହୋଇଛି । ଏହାସହ ଘଟଣାସ୍ଥଳରୁ ଜବତ ହୋଇଥିବା ଗୁଳିର ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି ଓ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ଏଡିଜି ଏସ ଏନ୍ ସାବତ କହିଛନ୍ତି।

ଅନ୍ୟପଟେ ମୃତ ଚାଷୀ ଗୁରବିନ୍ଦର ସିଂ ଓ ସାମ୍ବାଦିକ ରମଣ କସ୍ୟପଙ୍କ ପରିବାର ଅଟୋପ୍ସି ଟେଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୃତକଙ୍କ ଶରୀରରେ ଗୁଳି ବାଜିଥିବା ଚିହ୍ନ ଥିବା ବେଳେ ଅଟୋପ୍ସି ରିପୋର୍ଟରେ ଏହା ଉଲ୍ଲେଖ ନାହିଁ ।

Leave a Reply