ବୁଡିବାକୁ ବସିଛି କୁମ୍ଭକାରଙ୍କ କୌଳିକ ବୃତ୍ତି, କମିଗଲାଣି ମାଟି ତିଆରି ସାମଗ୍ରୀ ଚାହିଦା

ନନ୍ଦିଘୋଷ ବ୍ୟୁରୋ: ଆଧୁନିକତାର ଚାକଚକ୍ୟ ମଧ୍ୟରେ ବୁଡିଯିବାକୁ ବସିଛି କୁମ୍ଭକାରଙ୍କ କୌଳିକ ବୃତ୍ତି । କଂସା ପିତଳ, ଷ୍ଟିଲ ଓ ଆଲୁମିନିୟମ ଯୁଗରେ ଆଉ ପୂର୍ବ ଭଳି ବିକ୍ରି ହେଉନି ମାଟି ତିଆରି ସାମଗ୍ରୀ । ଧର୍ମଗଡ ଉପଖଣ୍ଡର ବିଭିନ୍ନ ବ୍ଲକର ୫ ହଜାରରୁ ଅଧିକ କାରିଗର ମାଟି ସାମଗ୍ରୀ ତିଆରି କରୁଥିଲେ ବି ତାଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ । ଫଳରେ ବୃତ୍ତିରୁ ଧୀରେ ଧୀରେ ମୁଁହ ଫେରାଇବାକୁ ବସିଲେଣି ।

ଆଧୁନିକତାକର ଚାକଚକ୍ଯ ମଧ୍ଯରେ ଏବେ ମାଟି ତିଆରି ସାମଗ୍ରୀର ଚାହିଦା କମିଗଲାଣି । ଦିନ ଥିଲା କୁମ୍ଭକାର ପରିବାର ମାନେ ପୂଜା ପର୍ବାଣୀ ସମୟରେ ମାଟି ତିଆରି ସାମଗ୍ରୀ ତିଆରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ । ଅଖ ଚକ ଘୁରାଇ ମାଟି ସହ ମାଟି ହୋଇ ହାଣ୍ଡି, କଳସ ଦୀପ, ସୁରେଇ, ରୁଖା ଭଳି ଅନେକ ସମାଗ୍ରୀ ତିଆରି କରୁଥିଲେ । ହେଲେ ଏବେ କଂସା ପିତଳ, ଷ୍ଟିଲ ଓ ଆଲୁମିନିୟମ ଯୁଗରେ ଆଉ ପୂର୍ବ ଭଳି ବିକ୍ରି ହେଉନି ମାଟି ତିଆରି ସାମଗ୍ରୀ  । ଫଳରେ ଏବେ ଏହି ବୃତ୍ତିରୁ  ଧୀରେ ଧୀରେ ମୁଁହ ଫେରାଇବାକୁ ବସିଲେଣି କୁମ୍ଭକାର ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ବିଭିନ୍ନ ବ୍ଲକର ବିଭିନ୍ନ ଗାଁରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ଵ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ଜରିଆରେ ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ନା ସେମାନଙ୍କୁ ମିଳୁଛି ସରକାରୀ ପ୍ରୋତ୍ସାହନ ନା ସେମାନଙ୍କ ପାଇଁ ବିକ୍ରି ବ୍ୟବସ୍ଥା ରହିଛି ଯାହାରି ଫଳରେ ସେମାନେ ଏବେ ନିଜ କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ମାଟିରେ ପସ୍ତୁତ ସାମଗ୍ରୀର ବିକ୍ରିବଟା ବ୍ଯବସ୍ଥା ନଥିବାରୁ ଡିସେମ୍ବରରୁ ଏପ୍ରିଲ ମାସ ବ୍ଯତୀତ ଅନ୍ଯ ମାସ ମାନଙ୍କରେ କୁମ୍ଭକାର ପରିବାର ମାନେ ହାତ ବାନ୍ଧିରହୁଥିବା ନେଇ ଅଭିଯୋଗ କରିଛନ୍ତି ।