ମୋ ମାଆକୁ କିଏ ଦେଖିଛ କି? ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛି ପୁଅ

କୋଣାର୍କ: ମାଆର ଫଟୋ ଧରି ଗାଁ ଗାଁ ବୁଲି ଖୋଜୁଛି ପୁଅ । ୭ଦିନ ହେଲା ନିଖୋଜ ହୋଇଯାଇଛି ମାଆ । ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ଯାଇଥିଲେ । ସେଠାରୁ କେଉଁଆଡୁ ପଳାଇ ଯାଇଥିବା ଅଭିଯୋଗ । ଏପଟେ ମାଆକୁ ଝୁରି ଗାଁ ଗାଁ ବୁଲି ଖୋଜୁଛି ପୁଅ । ଏ ଘର ସେ ଘର। ଏ ମଣିଷ ସେ ମଣିଷକୁ ଦେଖାଉଛି ମାଆର ଫଟୋ। ପାଖ ଗାଁଠୁ ଗାଁ, ଘର ଘର ବୁଲି ପାଦ ଥକ୍କି ଯିବା ପରେ ପିଣ୍ଢାରେ ବସିପଡୁଛି ପୁଅ । ମାଆ ଫଟୋ ଆଉଁଶି ଦଉଛି। ୭ଦିନ ହେଲା ନିଖୋଜ ମାଆ। ଆଇ ମଧ୍ୟ ଫଟୋ ଧରି ବାହୁନି କାନ୍ଦୁଛି।  ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ଯାଇଥିଲା। ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି ମାଆ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କେରେଣ୍ଡିଆପାଳ ଗାଁର। ଗାଁର ସଞ୍ଜୟ ଡ଼ାଳୁଆଙ୍କ ପତ୍ନୀ ମମତା ଦୀର୍ଘ ୫ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ମାନସିକ ବିକାରଗ୍ରସ୍ତ। ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଡିସେମ୍ବର ୧୯ରୁ ସେ ନିଖୋଜ ଅଛନ୍ତି।

ସବୁଆଡୁ ନିରାଶ ହେବାପରେ ସମ୍ପର୍କୀୟ ମଙ୍ଗଳାବାଗ ଥାନାରେ ଲିଖିତ ଏତଲା ଦେଇଥିଲେ। ନିଖୋଜ ଥିବା ମହିଳାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ସ୍ୱାମୀ ସଞ୍ଜୟ ଡ଼ାଳୁଆ ଦିନମଜୁରିଆ ଭାବେ କାମ କରୁଥିଲେ। ବୃଦ୍ଧ ବାପା ମାଆଙ୍କ ପାଖରେ ଗାଁରେ ରହୁଛନ୍ତି ଦୁଇ ସନ୍ତାନ। ବୋହୂ ନିଖୋଜ ପରେ ବୃଦ୍ଧ ଶାଶୁ, ଶ୍ବଶୁର ଚିନ୍ତାରେ ଥିବାବେଳେ ମମତାଙ୍କ ପୁଅ ନିଜ ମାଆର ଫଟୋ ଧରି ଖୋଜୁଛି।