କେବେ ହୋଇଥିଲା ନିର୍ମାଣ ଏବଂ କିଏ କରିଥିଲେ ଉଦଘାଟନ? ଜାଣନ୍ତୁ ପୁରୁଣା ସଂସଦ ଭବନର ଇତିହାସ

ନୂଆଦିଲ୍ଲୀ: ଆସନ୍ତା ୨୮ ମଇରେ ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ଉଦଘାଟନକୁ ବିରୋଧ କରିଛନ୍ତି ତମାମ ବିରୋଧୀ ଦଳ । ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଏହାର ଉଦଘାଟନ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଏମିତି କି ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ ବୋଲି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ମିଳିତ ଷ୍ଟେଟମେଣ୍ଟ ଜାରି କରି କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ଉଦଘାଟନ କରନ୍ତି ତେବେ ସେମାନେ ଏହି ସମାରୋହରେ ଯୋଗଦେବେ ନାହିଁ । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସମାରୋହରେ ଯୋଗ ଦେବା ପାଇଁ ଅପିଲ କରାଯାଇଛି ।

ଏବଂ ମାମଲାର ରାଜନୀତିକରଣ ନକରିବା ପାଇଁ କହିଛନ୍ତି । ପ୍ରକାଶଥାଉକି ନୂଆ ସଂସଦ ଭବନର ଶିଳାନ୍ୟାସ ୧୦ ଡିସେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ । ୧୫ ଜାନୁଆରୀ ୨୦୨୧ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଭବନର ନିର୍ମାଣରେ ପ୍ରାୟ ୧୨୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇଛି । ଏଚସିପି ନାମକ କମ୍ପାନୀ ଏହାର ଡିଜାଇନ କରିଛି । ତେବେ ଏହାରି ମଧ୍ୟରେ ପୂରୁଣା ସଂସଦ ଭବନକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥିବ ନିଶ୍ଚୟ । ଏହାର ନିର୍ମାଣ କେବେ ହୋଇଥିଲା? କିଏ ଏହାର ଉଦଘାଟନ କରିଥିଲେ ଏବଂ ଏହି ଭବ୍ୟ କୋଠାର ଡିଜାଇନର କିଏ ଥିଲେ?

ତେବେ ପୂରୁଣା ତଥା ବର୍ତ୍ତମାନର ସଂସଦ ଭବନର ଶିଳାନ୍ୟାସ ୧୨ ଫେବ୍ରୁଆରୀ ୧୯୨୧ରେ ହୋଇଥିଲା । ଏହାର ନିର୍ମାଣ ପ୍ରାୟ ୬ ବର୍ଷ ଚାଲିଥିଲା । ୧୯୨୭ ମସିହାରେ ଏହାର ନିର୍ମାଣ ସରିଥିଲା । ଯେବେ ନୂଆ ସଂସଦ ଭବନ ପ୍ରସ୍ତୁତ ହୋଇଯାଇଥିଲା ତେବେ ଦେଶରେ ଇଂରେଜ ଶାସନ ଥିଲା ଏବଂ ଏହାର ନିର୍ମାଣ ମଧ୍ୟ ଇଂରେଜ ସରକାରଙ୍କ ଦ୍ୱାରା କରାଯାଇଥିଲା । ପୂରୁଣା ସଂସଦ ଭବନର ଉଦଘାଟନ ୧୮ ଜାନୁଆରୀ ୧୯୨୭ରେ ହୋଇଥିଲା । ସେ ସମୟରେ ଦେଶରେ ସର୍ବୋଚ୍ଚ ପଦରେ ଗଭର୍ଣ୍ଣର ଜେନେରାଲ ରହୁଥିଲେ । ସେ ସମୟର ଗଭର୍ଣ୍ଣର ଜେନେରାଲ ଲର୍ଡ ଇରୱିନ୍ ଏହାର ଉଦଘାଟନ କରିଥିଲେ ।

ବ୍ରିଟିଶ ବାସ୍ତୁକାର ଏଡୱିନ ଲୁଟିୟନ୍ସ ଏବଂ ହର୍ବର୍ଟ ବେକର ଏହି ସଂସଦ ଭବନର ଡିଜାଇନ କରିଥିଲେ । ସେ ସମୟରେ ସଂସଦ ଭବନର ନିର୍ମାଣରେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସଂସଦ ଭବନ ୫୬୬ ମିଟର ବ୍ୟାସରେ ନିର୍ମିତ ହୋଇଥିଲା । ହେଲେ ପରେ ଅଧିକ ଯାଗାର ଆବଶ୍ୟକ ପଡ଼ିବାରୁ ୧୯୫୬ରେ ସଂସଦ ଭଭନରେ ଆଉ ଦୁଇଟି ମହଲା ଯୋଡ଼ାଯାଇଥିଲା । ତେବେ ସେ ସମୟରେ ଏହାର ନାଁ ସଂସଦ ଭବନ ନଥିଲା ବରଂ ହାଉସ୍ ଅଫ୍ ପାର୍ଲାମେଣ୍ଟ କୁହାଯାଉଥିଲା । ଏହି ହାଉସ୍ ଅଫ୍ ପାର୍ଲାମେଣ୍ଟରେ ବ୍ରିଟିଶ ସରକାରଙ୍କ ବିଧାନ ପରିଷଦ କାମ କରୁଥିଲା ଏବଂ ସ୍ୱାଧିନତା ପରଠୁ ଏଠାରେ ଆମ ଦେଶର ସାଂସଦ ବସିବାକୁ ଲାଗିଥିଲେ ଏବଂ ଏହାକୁ ସଂସଦ ବୋଲି କୁହାଗଲା ।