ବ୍ରିଟିଶ ଶାସନରୁ ସ୍ୱାଧୀନ ଭାରତ, ବଜେଟରେ ବଦଳିନି କଣ ?

1 min read
BUDGET

ଭୁବନେଶ୍ୱର: ଆଉ କିଛି ଦିନ ପରେ ଆସିବ ଦେଶ ପାଇଁ ବଜେଟ୍ । ତେବେ କେବେ ଭାବିଛନ୍ତି ଭାରତରେ ପ୍ରଥମ ବଜେଟ୍ କେବେ ଆସିଥିଲା ? କିଏ ବଜେଟ୍ ତିଆରି କରିଥିଲେ ଓ କିଏ ବଜେଟ୍ ଉପସ୍ଥାପନ କରିଥିଲେ ? ବଜେଟକୁ ନେଇ କିଛି ଏମିତି ତଥ୍ୟ ଆଜି ଆପଣଙ୍କୁ ଆମେ କହିବୁ ଯାହା ହୁଏତ ଆପଣ ଜାଣିନଥିବେ ।

ଇଷ୍ଟ ଇଣ୍ଡିଆ ଶାସନ କାଳରେ କମ୍ପାନୀ ବାହାଦୁରଙ୍କ ଦୁଇଟି କାମ ଥିଲା । ପ୍ରଥମ ହେଉଛି ଚାଷୀଙ୍କଠାରୁ କର ଆଦାୟ କରିବା । ଦ୍ୱିତୀୟ- କର ଟଙ୍କାରେ ଯୁଦ୍ଧ ଲଢ଼ି ଅଧିକରୁ ଅଧିକ ଅଞ୍ଚଳ ଉପରେ କବ୍‌ଜା କରିବା । ଭାରତୀୟ ଦେଉଥିବା ଟ୍ୟାକ୍ସରେ ଚାଲୁଥିଲା କମ୍ପାନୀର ୱାର ମେସିନ୍ । କିନ୍ତୁ ୧୮୫୭ ସିପାହୀ ବିଦ୍ରୋହ ପରେ ଶାସନ ଡୋର କମ୍ପାନୀ ବାହାଦୁରଙ୍କ ହାତରୁ ମହାରାଣୀଙ୍କ ହାତକୁ ଗଲା । ଏହାପରେ ବ୍ରିଟିଶ୍‌ ସରକାର ଭାରତ ପାଇଁ ବଜେଟ୍ କଥା ଚିନ୍ତା କରିଥିଲେ ।

East India Company

ବ୍ରିଟିଶ ଭାରତର ପ୍ରଥମ ବଜେଟ୍ ଆସିଥିଲା ୧୮୬୦, ଏପ୍ରିଲ୍ ୭ ତାରିଖ ଦିନ । ଏହାକୁ ପ୍ରସ୍ତୁତ କରିଥିଲେ ବ୍ରିଟିଶ ନାଗରିକ ଜେମ୍ସ ୱିଲସନ୍ । ଜେମ୍ସ ଭାରତୀୟ ଆର୍ଥିକ କାଉନସିଲର ସଦସ୍ୟ ଥିଲେ । ଯାହାଙ୍କ କାମ ଥିଲା ବ୍ରିଟିଶ ଭାଇସରୟଙ୍କୁ ଆର୍ଥିକ ମାମଲାରେ ପରାମର୍ଶ ଦେବା । ପ୍ରସିଦ୍ଧ ପତ୍ରିକା ଦି ଇକୋନୋମିଷ୍ଟର ପ୍ରତିଷ୍ଠାତା ହେଉଛନ୍ତି ଜେମ୍ସ ।

ଜେମ୍ସଙ୍କ ବଜେଟ୍ ସେତେବେଳର ବ୍ରିଟିଶ ସରକାରଙ୍କ ଅର୍ଥନୀତିକୁ ନେଇ ଗୋଟିଏ ଗାଇଡଲାଇନ୍ ଦେଇଥିଲା । ତେବେ ଜେମ୍ସଙ୍କ ବଜେଟର ଯେଉଁ ଅଂଶ ସେତେବେଳର ଧନୀ ଭାରତୀୟଙ୍କୁ ପସନ୍ଦ ଆସିନଥିଲା ତାହା ଆଜି ମଧ୍ୟ ବଦଳି ନାହିଁ । ତାହା ହେଉଛି ଆୟକର । ଆୟ ଉପରେ କର ବସାଇବା ପାଇଁ ଜେମ୍ସଙ୍କ ପ୍ରସ୍ତାବକୁ ଭାରତୀୟ ବ୍ୟବସାୟୀଙ୍କ ସହ ଜମିଦାର ନାପସନ୍ଦ କରିଥିଲେ ।

East India Company

ଆୟକର ଲାଗୁ କରି ଜେମ୍ସ କହିଥିଲେ ଯେ, ବ୍ରିଟିଶ ସରକାର ଭାରତୀୟଙ୍କୁ ବ୍ୟବସାୟ କରିବାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ତେଣୁ ସେମାନଙ୍କଠାରୁ କର ଆଦୟ କରିବା ଅନୁଚିତ୍ ନୁହେଁ । ସେତେବେଳେ ଆୟକରକୁ ଭାରତୀୟ ବିରୋଧ କରୁଥିଲେ ଆଉ ଏବେ ମଧ୍ୟ କରୁଛନ୍ତି । ସୁବ୍ରମଣ୍ୟମ ସ୍ୱାମୀଙ୍କ ଭଳି ବ୍ୟକ୍ତି ତ ଆୟକର ଉଛେଦ କଥା କୁହନ୍ତି । ମାନେ ଆୟକରଠାରୁ ମୁକ୍ତି । ତେବେ ଲାଗୁନି ନିକଟ ଭବିଷ୍ୟତରେ ଆୟକର ମୁକ୍ତ ଭାରତର ଆଛେଦିନ ଆସିବ ।

ଜେମ୍ସଙ୍କ ବଜେଟର ୭୯ ବର୍ଷ ପରେ ଜନ୍ ମଥାଇ ସ୍ୱାଧିନ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ୧୯୪୯ରେ ଆଗତ କରିଥିଲେ । ଆଜି ଅର୍ଥମନ୍ତ୍ରୀ ପୂରା ବଜେଟ୍ ପଢୁଛନ୍ତି । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ କ’ଣ କହୁଛନ୍ତି ତାକୁ ଶୁଣିବାକୁ ଦେଶ କାନ ଡେରିଥାଏ । କିନ୍ତୁ ଜନ୍ ମଥାଇ ପୁରା ବଜେଟ୍ ପଢ଼ି ନଥିଲେ । ସେ କେବଳ କିଛି ମୁଖ୍ୟ କଥାକୁ ସଂସଦ ଆଗରେ କହିଥିଲେ । ଏହି ବଜେଟ୍ ଜରିଆରେ ଦେଶ ପ୍ରଥମ ଥର ପାଇଁ ଯୋଜନା ଆୟୋଗ ଓ ପଞ୍ଚବର୍ଷୀୟ ଯୋଜନା କଥା କହିଥିଲେ ।

ଏବେ ଯେଉଁ ବଜେଟ୍ ଆସୁଛି ସେଥିରେ ବୈଦେଶିକ ସମ୍ପର୍କ ବାବଦରେ କିଛି କୁହାଯାଇ ନଥାଏ । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ବଜେଟରେ ମଧ୍ୟ ବୈଦେଶିକ ସମ୍ପର୍କ ବାବଦରେ ଉଲ୍ଲେଖ ରହୁଥିଲା । ଭାରତ ସ୍ୱାଧିନତା ପାଇବା ପରେ ସୋଭିଏତ୍ ସଂଘଠାରୁ ଆର୍ଥିକ ଓ ବୈଷୟିକ ସହାୟତା ପାଉଥିଲା । ତେଣୁ ୧୯୫୧ ବଜେଟରେ ଋଷ ସହ ସମ୍ପର୍କ ବାବଦରେ କୁହାଯାଇଥିଲା । ୧୯୫୯ ମସିହା ପର୍ଯ୍ୟନ୍ତ ଏହି ଧାରା ଚାଲିଥିଲା।

ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରନ୍ତି କିନ୍ତୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କେବେ ବଜେଟ୍ ଆଗତ କରିଥିବା କଥା ଶୁଣିଛନ୍ତି କି ? ସି.ଡି ଦେଶମୁଖ ଦେଶର ଏକମାତ୍ର ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଥିଲେ ଯିଏ ବଜେଟ୍ ଆଗତ କରିଥିଲେ । ତାଙ୍କ ପରେ ଏଭଳି ସୌଭାଗ୍ୟ ଆଉ କାହାରିକୁ ମିଳିନାହିଁ । ୧୯୫୧-୫୨ର ଅନ୍ତରୀଣ ବଜେଟକୁ ଦେଶମୁଖ ଆଗତ କରିଥିଲେ । ଲୋକଙ୍କୁ ଆୟକର ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଗୋଟିଏ ଗାଁର ଉଦାହରଣ ମଧ୍ୟ ନିଜ ଭାଷଣରେ ଦେଇଥିଲେ । ଯେଉଁ ଗାଁର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଚିଠି ଲେଖି ପ୍ରତି ବର୍ଷ ପୂରା ଗାଁ ପାଇଁ ଆୟକର ଭାବେ ୫ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା କଥା ସେ କହିଥିଲେ । ଦେଶମୁଖଙ୍କ ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ଗାଁର କେହି ଆୟକର ଦେଉନଥିବାରୁ ଦେଶର ବିକାଶ ପାଇଁ ସେହି ବ୍ୟକ୍ତି ପୂରା ଗାଁ ପାଇଁ ଆୟକର ଦେବାକୁ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ । ଦେଖିବାକୁ ଗଲେ ଆୟକରକୁ ନେଇ ଝିଞ୍ଜଟ୍ ଏବେ ମଧ୍ୟ ଛିଡ଼ିନି । ଏବେ ମଧ୍ୟ ଭାରତୀୟ ଆୟକର ଦେବା ବେଳେ ଆଗପଛ ହୁଅନ୍ତି ।

Leave a Reply