ଗୁଳିମାଡ଼ରେ ଗୌରୀ ମିଶ୍ରଙ୍କ ମୃତ୍ୟୁ ଘଟଣା, ଗୁଳିକାଣ୍ଡ ସମ୍ପର୍କରେ ଜାଣିଥିବା ନିଖୋଜ ଯୁବକଙ୍କୁ ହତ୍ୟା

ଗୁଣପୁର: ଗୁଣପୁର ବଂଶଧାରା ବ୍ରିଜ ଉପରେ ଗୁଳିମାଡ଼ରେ ଗୌରୀ ମିଶ୍ରଙ୍କ ମୃତ୍ୟୁ ଘଟଣା । ଗୁଳିକାଣ୍ଡ ସମ୍ପର୍କରେ ଜାଣିଥିବା ନିଖୋଜ ଯୁବକଙ୍କୁ ହତ୍ୟା । ବିଶାଖାପାଟଣାରେ ମାରି ପୋତିଦେଲେ ଅଭିଯୁକ୍ତ । ଗତ ମେ ୧୩ ତାରିଖ ରାତିରେ ଦୁର୍ବୃତ୍ତଙ୍କ ଗୁଳିରେ ଗୌରୀ ମିଶ୍ରଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଜାଣିଥିବା ଭି. ରାଜେଶ ନାମକ ଯୁବକ ସେବେଠୁ ନିଖୋଜ ହୋଇଯାଇଥିଲେ । ଏନେଇ ଗୁଣୁପୁର ଥାନାରେ ରାଜେଶଙ୍କ ମାଆ ଅଭିଯୋଗ କରିଥିଲେ । କ୍ରିଷ୍ଣା ଓ ଜିକେ ନାମକ ଦୁଇ ଯୁବକଙ୍କୁ ପୋଲିସ ପଚରାଉଚୁରା କରିବା ପରେ ସତ ପଦାକୁ ଆସିଥିଲା । ବିଶାଖାପାଟଣାରେ ରାଜେଶଙ୍କୁ ହତ୍ୟା କରାଯାଇଥିବା ଅଭିଯୁକ୍ତଙ୍କଠୁ ପୋଲିସ ଜାଣିବାକୁ ପାଇଥିଲା । ହତ୍ୟାପରେ ଏକ ଜଙ୍ଗଲରେ ମୃତଦେହକୁ ପୋତିଦେଇଥିଲେ ଦୁର୍ବୃତ୍ତ । ଅଭିଯୁକ୍ତଙ୍କୁ ନେଇ ମୃତଦେହ ପୋତାଯାଇଥିବା ସ୍ଥାନକୁ ଚିହ୍ନଟ କରିଛି ପୋଲିସ ।

ଆନ୍ଧ୍ର ପୋଲିସ ସହାୟତାରେ ଗାତ ଖୋଲି ରାଜେଶର ଶବକୁ ବାହାର କରାଯାଉଛି । ତେବେ ଗୌରୀ ମିଶ୍ରଙ୍କ ହତ୍ୟା ସହିତ ଭି. ରାଜେଶଙ୍କ ମୃତ୍ୟୁର ସମ୍ପର୍କ ସ୍ପଷ୍ଟ ହୋଇନଥିଲେ ମଧ୍ୟ ରାଜେଶ ଏ ସମ୍ପର୍କରେ ଜାଣିଥିବା ସନ୍ଦେହ କରାଯାଉଛି । ଗୌରୀ ମିଶ୍ରଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା ଏବଂ ପରେ ପରେ ରାଜେଶ ନିଖୋଜ ହେବା ଓ ତାଙ୍କୁ ହତ୍ୟା କରି ପୋତିଦେବା ଘଟଣାରୁ ପରଦା ହଟାଇବାକୁ ତନାଘନା ଚଲାଇଛି ପୋଲିସ ।