ପଣା ସଂକ୍ରାନ୍ତି ଅବସରରେ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ଼

କେନ୍ଦୁଝର: ରବିବାର ହେଉଛି ମହାବିଷୁବ ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଏହି ଉପଲକ୍ଷେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏଠାରେ ଆଜି ବ୍ୟାପକ ଆୟୋଜନ କରାଯାଇଛି । ମା’ ତାରିଣୀଙ୍କ ୮୮ତମ ଚଇତି ପର୍ବର ଆଜି ଷଷ୍ଠ ଦିନ । ଭକ୍ତଙ୍କୁ ମା ସୁନାବେଶରେ ଦର୍ଶନ ଦେଉଛନ୍ତି। ଆଜି ମାଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା, ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦୀପାଲା, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭକ୍ତଙ୍କୁ ପାନୀୟ ଜଳ, ପଣା, ଅନ୍ନ ପ୍ରସାଦ ବଣ୍ଟନ କରାଯାଉଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।