କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ମାମଲା : ପୁରୁଷ ବନ୍ଧୁ ପଠାଇଥିବା ଭିଡିଓ ଓ ଫଟୋକୁ ନେଇ ତଦନ୍ତ
1 min read
ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଛାତ୍ରୀ ମୃତ୍ୟୁ ଘଟଣା ଉପରୁ ହଟୁନି ରହସ୍ୟ। ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ। ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କରି ବିଏନଏସର ଧାରା 296, 75, 78, 108, 66e, 67a ପରି ସଂଗୀନ ଦଫା ପୁରୁଷ ବନ୍ଧୁଙ୍କ ଉପରେ ଲଗାଇଛି ପୋଲିସ। ଝିଅକୁ ପ୍ରେମିକ ମାନସିକ ନିର୍ଯାତନା ଦେଇଥିବା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା। ସେପଟେ ଏସପିଙ୍କ ଅଫିସରେ ତନାଘନା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର।
ପୀଡ଼ିତାଙ୍କ ଘରକୁ ଯାଇ ସରଜମିନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାପଡ଼ା। ଛାତ୍ରୀଙ୍କ ଘରକୁ ଲାଗି ରହିଥିବା ପଡ଼ୋଶୀଙ୍କ ସିସିଟିଭି ଯାଞ୍ଚ କରିବା ସହ ହାର୍ଡଡିସ୍କ ଜବତ କରିଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ଘଟଣାର ସତ୍ୟାସତ୍ୟ। ଘଟଣାର ସମ୍ପୂର୍ଣ ସତ୍ୟାସତ୍ୟ କେବେ ଆସିବ ସେହି ପ୍ରଶ୍ନର ଉତ୍ତର ଦେଇ ଏସପି କହିଛନ୍ତି ଯେ, ତଦନ୍ତ ନେଇ ସମସ୍ତ ତଥ୍ୟ ଜଣାଇବେ। ପୋଲିସ କିଛି ଠୋସ୍ ପ୍ରମାଣ ପାଇଥିବା ଜଣାପଡୁଛି। ସେଥିପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଏବେ ବି ରହସ୍ୟ ଉପରୁ ପରଦା ଉଠିପାରିନାହିଁ। କାଠିଆପଡାରେ ଗତ ବୁଧବାର ଦିନ ଛାତ୍ରୀ ଜଣକ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ବାପା ପୋଲିସ ନିକଟରେ ସେହି ଦିନ ପ୍ରଥମ ଲିଖିତ ଏତଲା ଦେଇଥିଲେ।