ସସପେନ୍ସର ହେବ ଅବସାନ, ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଆଜି ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ସମସ୍ତ ଆପ୍ ବିଧାୟକଙ୍କ ସମର୍ଥନ ରହିଛି କି ନାହିଁ ତାହାର ପ୍ରମାଣ ଦେବେ କେଜ୍ରିଓ୍ୱାଲ । ଗତକାଲି କେନ୍ଦ୍ରର ବିଭିନ୍ନ ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ- କେନ୍ଦ୍ରର ଦରବୃଦ୍ଧି ଦେଶବାସୀଙ୍କୁ ବାଧୁଛି । ବାରମ୍ବାର ବିଭିନ୍ନ କର ଲଦିବା ଯୋଗୁ ଜନଜୀବନ ଅତିଷ୍ଠ ହେଲାଣି । ଏପରିକ ଗୁଜରାଟର ଲୋକପ୍ରିୟ ନାଚ ଗରବା ଉପରେ ବି କର ଲଗାଯାଇଛି । କୋଟିପତିମାନଙ୍କ ଋଣ ଛାଡ଼ କରାଯାଉଛି । ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉନାହିଁ । ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡରୁ କିଛି ମିଳିଲାନି ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ସେପଟେ ଏଲଜି ବିନୟ କୁମାର ସକ୍ସେନାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଆମ୍ ଆଦମୀ ପାର୍ଟିର ବିଧାୟକ । ଆପ୍ ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ବର୍ତ୍ତମାନର ଏଲଜି ବିନୟ କୁମାର ସକ୍ସେନା ଯେତେବେଳେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଥିଲେ ସେତେବେଳେ ନୋଟବନ୍ଦୀ ବେଳେ ୧୪୦୦ କୋଟି ଟଙ୍କାର ଘୋଟାଲାରେ ସାମିଲ ଅଛନ୍ତି । ତେଣୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଆପ୍ ବିଧାୟକ ।