ସନ୍ ଟିଭି ବିବାଦ: IPL ଟିମ୍ SRH ପ୍ରତି ବିପଦ, ଯାଇପାରେ କାବ୍ୟା ମାରନଙ୍କ ମାଲିକାନା

1 min read

ନନ୍ଦିଘୋଷ ବ୍ୟୁରୋ: IPL ଟିମ୍ ସନରାଇଜର୍ସ ହାଇଦ୍ରାବାଦ ସିଇଓ କାବ୍ୟା ମାରନଙ୍କ ବଢ଼ିପାରେ ସମସ୍ୟା । ପାରିବାରିକ କଳହ ଗୋଟିଏ କାରଣ ହୋଇଥିବା ବେଳେ ଦକ୍ଷିଣ ଭାରତର ବଡ଼ ମିଡ଼ିଆ ହାଉସ୍ ସନ୍ ନେଟଓ୍ବର୍କ ମାଲିକ ତଥା କାବ୍ୟାଙ୍କ ବାପା କଲାନିଧି ମାରନଙ୍କ ଉପରେ ମନି ଲଣ୍ଡରିଂ ଅଭିଯୋଗ ଲାଗିଛି । କଲାନିଧିଙ୍କ ଭାଇ ତଥା ପୂର୍ବତନ ସାଂସଦ ଦୟାନିଧି ମାରନ ଏହି ଅଭିଯୋଗ ଆଣିଛନ୍ତି । ଯାହା ନାଁ କେବଳ ସନ୍ ନେଟଓ୍ବର୍କ ପାଇଁ ସମସ୍ୟା ବଢ଼ାଇଛି ବରଂ IPL ଟିମ୍ ଏସଆରଏଚ ପାଇଁ ଚିନ୍ତା ବଢ଼ାଇ ଦେଇଛି ।  ଆସନ୍ତୁ ଜାଣିବା ପୂରା ମାମଲା କ’ଣ ଓ ଏହା IPL ପାଇଁ ଚିନ୍ତାର କାରଣ କାହିଁକି ପାଲଟିଛି ।

ସୂଚନାଯୋଗ୍ୟ, ସନ୍ ନେଟଓ୍ବର୍କ ସେୟରକୁ ନେଇ ବିବାଦ ଲାଗି ରହିଛି । ୨୦୦୩ ପୂର୍ବରୁ ମାରନ ପରିବାର ଓ କରୁଣାନିଧି ପରିବାର ପାଖରେ କମ୍ପାନୀର ସମାନ ସେୟର ଥିଲା । ହେଲେ ଏହା ପରେ ଏଥିରେ ପରିବର୍ତ୍ତନ ହୋଇଥିଲା । ଅଭିଯୋଗ ହେଉଛି, କମ୍ପାନୀର ଅର୍ଥକୁ ଅପବ୍ୟବହାର କରାଯାଇ ସନ୍ ଡାଇରେକ୍ଟ ଟିଭି, ସନ୍ ପିକଚର୍ସ, ଏଫଏମ ଚ୍ୟାନେଲ ଓ IPL ଟିମ୍ SRH ପରି କମ୍ପାନୀ ଛିଡ଼ା କରାଯାଇଛି । ଏବେ ଯଦି ୨୦୦୩ର ସେୟର ପାର୍ଟନ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ମାଲିକାନାରେ ପରିବର୍ତ୍ତନ ହୋଇପାରେ । ଯାହାର ପ୍ରଭାବ ଆଇପିଏଲ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ଉପରେ ବି ପଡ଼ିପାରେ ।

ଏମିତି ସ୍ଥିତିରେ ବିସିସିଆଇକୁ ସମ୍ମୁଖକୁ ଆସିବାକୁ ପଡ଼ିପାରେ । ଏପରିକି ସନ୍ ଟିଭିକୁ ଏସଆରଏଚ ଟିମକୁ ବିକ୍ରି କରିବାକୁ ବି ପଡ଼ିପାରେ । ଯଦି ଏମିତି ହେବ ତେବେ ଆଇପିଏଲର ପ୍ରତି ମ୍ୟାଚରେ ନଜରକୁ ଆସୁଥିବା କାବ୍ୟା ମାରନ ଆଗାମୀ ଦିନରେ ମାଲିକ ରହି ନପାରନ୍ତି । ଏହି ବିବାଦର ସମାଧାନ ଯଦି ଶୀଘ୍ର ନହେଲା ତେବେ ସନରାଇଜର୍ସ ହାଇଦ୍ରାବାଦ ଟିମ ଓ ପ୍ରଶଂସକଙ୍କ ପାଇଁ ଏହା ଶକ୍ତ ଧକ୍କା ହୋଇପାରେ ।