କାଶୀପୁରରେ କଲେରାର ରୂପ ନେଇଛି ଡାଇରିଆ

ରାୟଗଡ଼ା: କାଶୀପୁରରେ ପୁଣି କଲେରାର ପୁନରାବୃତ୍ତି । ରାୟଗଡ଼ା କାଶୀପୁର ବ୍ଲକରେ ଝାଡ଼ାବାନ୍ତିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଥିମଧ୍ୟରୁ ରୋଗୀଙ୍କ ମଳ ନମୂନା ସଂଗ୍ରହ କରି ପରୀକ୍ଷା ପରେ ଏଥିରେ ଭିବ୍ରୋ କଲେରା ଚିହ୍ନଟ ହୋଇଛି । ଆରଏମଆରସି ଡାକ୍ତରୀ ଟିମ୍ ସ୍ଥିତିରେ ସୁଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଡାଇରିଆ ଏବେ କଲେରାର ରୂପ ନେଇଥିବା ଜିଲ୍ଲାପାଳ ସ୍ୱାଧାଦେବ ସିଂ କହିଛନ୍ତି । ପ୍ରତ୍ୟେକ ପ୍ରଭାବିତ ଗାଁକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ନଦୀ, ନାଳ ସମେତ ଅନ୍ୟାନ୍ୟ ଜଳ ଉତ୍ସ ଦୂଷିତ ହୋଇଛି । ଯାହାଦ୍ୱାରା କଲେରା ବ୍ୟାପିଛି । ବର୍ତ୍ତମାନ ସମସ୍ତ ଜଳ ଉତ୍ସ ବିଶୋଧନ ଜାରି ରହିଛି । ଚିକିତ୍ସା ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ବର୍ତ୍ତମାନ ୭୨ ଜଣ ଆକ୍ରାନ୍ତ କାଶୀପୁର, ଟିକିରି, ରାୟଗଡ଼ା ଓ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଲେଣି ୨୪ ଜଣ । ୨୦୦୭ରେ କାଶୀପୁରରେ ବ୍ୟାପିଥିବା କଲେରାରେ ଅନେକଙ୍କ ଜୀବନ ଯାଇଥିଲା । ଏବେ ପୁଣି ଫେରିଛି କଲେରା ଆତଙ୍କ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କମିଛି ଲଘୁଚାପ ବର୍ଷା; ୮ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ