ଅତ୍ୟାଚାରୀ କଂସ ଦାଉରୁ ମିଳିଲା ମଥୁରାକୁ ମୁକ୍ତି

ବରଗଡ଼: ଅଧର୍ମ ଉପରେ ହେଲା ଧର୍ମର ବିଜୟ । ଅତ୍ୟାଚାରୀ କଂସ ଦାଉରୁ ମିଳିଲା ମଥୁରାକୁ ମୁକ୍ତି । ମଞ୍ଚରୁ ପଡ଼ି ମରିଲା ମାମୁ କଂସ । ପୁଣି ମଥୁରାର ରାଜା ହେଲେ ଉଗ୍ରସେନ । କଂସବଧ ସହ ଶେଷ ହୋଇଛି ବରଗଡ଼ ଧନୁଯାତ୍ରା । ଯାତ୍ରା ଆଳରେ କୃଷ୍ଣ ଓ ବଳରାମଙ୍କୁ ମାରିବାକୁ ଯୋଜନା କରିଥିଲା କଂସାସୁର । ମତ୍ତ ହସ୍ତୀ, ଅଷ୍ଟମଲ୍ଲ ଓ ବିଭିନ୍ନ ଅସୁରଙ୍କୁ ମାରିବା ପରେ ଶେଷରେ ମଞ୍ଚରେ ବସିଥିବା କଂସକୁ ତଳକୁ ପକାଇ ବଧ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । କଂସ ବଧ ପରେ ମଥୁରାରେ ପୁଣି ଶାନ୍ତି ଫେରିଛି ।

ଶ୍ରୀକୃଷ୍ଣଙ୍କ ଜୟ ଜୟକାରରେ ମୁଖରିତ ହୋଇଛି ବରଗଡ଼ ଧନୁଯାତ୍ରା । ଦେବକୀ ଓ ବସୁଦେବ ପୁଅକୁ ପାଇ ଭାବବିହ୍ବଳ ହୋଇଛନ୍ତି । ବିଶ୍ବର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା । ୧୧ ଦିନ ପରେ କଂସବଧ ଶହ ପଡିଛି ଯବନିକା । ଆଜି ପୁରୀ ଆସୁଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷୀକେଷ ଭୋଇ । ଯାତ୍ରା ସମୟରେ ନିଜ ଅଭିନୟ ପାଇଁ ସେ ଭଗବାନଙ୍କୁ ଅନେକ ଅପମାନିତ କରିଛନ୍ତି । ତେଣୁ ମହୋଦଧିରେ ସ୍ନାନ କରି ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ।