କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କଲେ, ମଟନ ଭୋଜି ଖାଇଲେ

ଲଇକେରା: ସ୍ବାମୀ ସବୁଦିନ ମାରଧର କରିବା ସହ ଦେଉଥିଲେ ଅକଥନୀୟ ଅତ୍ୟାଚାର । ନିର୍ଯାତନା ସବୁ ସୀମା ଟପି ଯାଇଥିଲା । ସ୍ବାମୀଙ୍କ ଅତ୍ୟାଚାରକୁ ବିରୋଧ କରି ଥରେ ଉଠାଇ ଦେଲେ ହାତ । ବାସ୍ ସବୁ ଭୁଲ ତାଙ୍କର ହୋଇଗଲା । ଯେଉଁ ସ୍ବାମୀ ପ୍ରତିଦିନ ତାଙ୍କୁ ମାଡ଼ ମାରୁଥିଲେ ସେ ହୋଇଗଲେ ସୁନା ପୁଅ । ସ୍ବାମୀଙ୍କୁ ହାତ ଉଠାଇ ଥିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଆଉ ମହିଳାଙ୍କୁ ଲଣ୍ଡା କରିବା ସହ ଭଟନ ଭୋଜି ଖାଇଲେ ପେଟ କାଙ୍ଗାଳି ଗାଁ ଲୋକେ ।

ଏମିତି ଏକ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ରାଉତବାହାଲ ଗାଁରେ । କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କରାଯାଇଛି । ଏହାସଂ ମଟନ, ଦେଶୀ କୁକୁଡ଼ା ଭୋଜି ମଧ୍ୟ ଖାଇଛନ୍ତି ଲୋକେ । ଏହାସହ ଜରିମାନା ନାଁରେ ୫ ହଜାର ଟଙ୍କା ଦାଦାବଟି ଆଦାୟ କରିଛନ୍ତି ।

ଅଭିଯୋଗ ଅନୁସାରେ ଗାଁର ମହେନ୍ଦ୍ର କିସାନ ପ୍ରତିଦିନ ପତ୍ନୀଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରୁଥିଲେ ।  ଦିନେ ଅତ୍ୟାଚାର ସହି ନପାରି ମହେନ୍ଦ୍ର କିସାନଙ୍କୁ ହାତ ଉଠାଇ ଦେଇଥିଲେ ତାଙ୍କ ପତ୍ନୀ । ଏହି ଘଟଣାକୁ ନେଇ ମହେନ୍ଦ୍ର ଜାତି ସମାଜର ଦ୍ୱାରସ୍ଥ ହୋଇଥିଲେ । ଜାତି ସମାଜର ବିଶିଷ୍ଠ ନ୍ୟାୟ ଦେବା ନାଁରେ ମହିଳାଙ୍କ ମୁଣ୍ଡରେ ସବୁ ଦୋଷ ଝାଡି ଦେଲେ ।

ମାଆକୁ ନିର୍ଯାତନା ଦିଆଯାଉଥିବା ଶୁଣିବା ପରେ ମହିଳାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।