ଫସାଇଲା ଦୁଇ ବର୍ଷ ତଳର ବିବାଦୀୟ ଟୁଇଟ୍, ପୁଣି ବନ୍ଧା ହେଲେ କେଆରକେ

ନୂଆଦିଲ୍ଲୀ: ଫସାଇଲା ଦୁଇ ବର୍ଷ ତଳର ବିବାଦୀୟ ଟୁଇଟ୍ । ପୁଣି ବନ୍ଧା ହେଲେ ହିନ୍ଦୀ ଫିଲ୍ମ ଅଭିନେତା କେଆରକେ । ୨୦୨୦ରେ କରିଥିବା ଏକ ଟୁଇଟକୁ ନେଇ କେଆରକେଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ମୁମ୍ବାଇର ମଲାଡ ପୋଲିସ । ସୋସିଆଲ ମିଡିଆରେ ଧର୍ମକୁ ନେଇ ବିବାଦୀୟ ବୟାନ ରଖିଥିଲେ କେଆରକେ । ୨୦୨୦ରେ ଏ ନେଇ ଯୁବ ସେନା ସଦସ୍ୟ ରାହୁଲ କନାଲ କେଆରକେଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତାଙ୍କ ନାମରେ ଲୁକଆଉଟ ନୋଟିସ ଜାରି କରିଥିଲା ।

ଏହାଛଡ଼ା ଟ୍ବିଟରେ ଦିବଂଗତ ଅଭିନେତା ଋଷି କାପୁର ଓ ଇରଫାନ ଖାନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ରଖିଥିଲେ । ଏୟାରପୋର୍ଟରେ କେଆରକେଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । କିଛି ସମୟ ପରେ ତାଙ୍କୁ ବୋରିବଲି କୋର୍ଟରେ ହାଜର କରାଯିବ । ପୂର୍ବରୁ ମଧ୍ୟ ବିବାଦୀୟ ଟ୍ବିଟକୁ ନେଇ ଗିରଫ ହୋଇଛନ୍ତି କେଆରକେ । ସଲମାନ ଖାନ ଓ ମନୋଜ ବାଜପେୟୀଙ୍କ ନାମରେ ଅପମାନଜନକ ବୟାନ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।