ରାମୋଜି ଫିଲ୍ମସିଟି ଭଳି ହେବ କଳିଙ୍ଗ ଷ୍ଟୁଡିଓ

ଭୁବନେଶ୍ବର: ୨୦୨୩ ଜୁନ୍ ମାସ ସୁଦ୍ଧା ଶେଷ ହେବ କଳିଙ୍ଗ ଷ୍ଟୁଡିଓର ନବକଳେବର କାର୍ଯ୍ୟ। ୨୬ ଏକର ଜମିରେ ୪ଟି ଷ୍ଟେଜରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ। କଳିଙ୍ଗ ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୧୫୦କୋଟିର ଅନୁଦାନ ଦେଇଛନ୍ତି।

ଚଳଚିତ୍ର ନିର୍ମାଣ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଷ୍ଟୁଡିଓ ପରିସରରେ ରହିବ । ୬ଟି ବଡ଼ ପରଦା ବିଶିଷ୍ଟ ମଲ୍ଟିପ୍ଲେକ୍ସ ନିର୍ମାଣ ହେବ। ଜନସାଧାରଣ ଟିକେଟ ଦେଇ ବୁଲିପାରିବେ କଳିଙ୍ଗ ଷ୍ଟୁଡିଓ। ଷ୍ଟୁଡିଓରେ ରହିବ ୪ଟି ସ୍ୱତନ୍ତ୍ର ଗେଟ।

ଇଣ୍ଡୋର ସୁଟିଂ ହଲ, ଟେକ ଯୋନ, ମୁଭିସ ମ୍ୟାଜିକ, ସ୍ନୋ ୱାର୍ଲଡ଼, ଆଡ଼ଭାଞ୍ଚର ଲ୍ୟାଣ୍ଡ, ମାର୍କେଟ ଯୋନ, ମଣ୍ଡପ, ଭିଲେଜ କମ୍ପ୍ଲେକ୍ସ ଭଳି ଅନେକ କିଛି ରହିବ। ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ।

ରାମୋଜି ଫିଲ୍ମ ସିଟି ଭଳି କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ଵଳ୍ପ ଜମିରେ ସବୁ ରଖିବାକୁ ଚେଷ୍ଟା ହେଉଛି। ଆଗକୁ ଫିଲ୍ମସିଟି ପାଇଁ ନିଗମ ପକ୍ଷରୁ ବିସ୍ତୀର୍ଣ୍ଣ ଜମି ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିକାଶ ସାଙ୍ଗକୁ କଳିଙ୍ଗ ଷ୍ଟୁଡ଼ିଓର ନବକଳେବର ପାଇଁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦କୋଟି ଆର୍ଥିକ ଅନୁଦାନ ଯୋଗାଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ।

ଫିଲ୍ମ ସିଟି ନିର୍ମାଣ ପାଇଁ ନିଗମ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଥିବା ବେଳେ ଏଥିପାଇଁ ଅର୍ଥ କିମ୍ବା ଜମିର ଅଭାବ ରହିବ ନାହିଁ ବୋଲି କହିଛନ୍ତି ପ୍ରମୁଖ ସଚିବ ହେମନ୍ତ ଶର୍ମା।