ଜାନୁଆରୀରୁ ହକି ପ୍ରୋ-ଲିଗ୍: ହକି ନିଶାରେ ମତୁଆଲା ହେବ ଭୁବନେଶ୍ୱର

1 min read

ପୁଣି ଭୁବନେଶ୍ୱରକୁ ଫେରିବ ହକି କ୍ରେଜ୍ । ହକି ପ୍ରେମରେ ସମସ୍ତେ ହେବେ ମତୁଆଲା। କଳିଙ୍ଗରେ କମାଲ କରିବେ ବିଶ୍ୱର ବଛା ବଛା ଖେଳାଳି। ଆସନ୍ତା ଜାନୁଆରୀରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ହକି ପ୍ରୋ-ଲିଗ। ନେଦରଲାଣ୍ଡ, ବେଲଜିୟମ , ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦଳ ପ୍ରୋ-ଲିଗ ଖେଳିବା ପାଇଁ ଭୁବନେଶ୍ୱର ଆସିବେ।

୨୦୨୦ ଟୋକିଓ ଅଲିମ୍ପିକ ପୂର୍ବରୁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରରେ ଖେଳାଯିବ। ଏହି ପ୍ରତିଯୋଗିତା ଭାରତ ପାଇଁ ସଞ୍ଜୀବନି ହେବାକୁ ଯାଉଛି। କାରଣ ଟୋକିଓ ଅଲିମ୍ପିକ ପୂର୍ବରୁ ଏହା ଏକମାତ୍ର ଅନ୍ତର୍ଜାତୀୟ ପ୍ରତିଯୋଗିତା। ଯେଉଁଥିରେ ବିଶ୍ଵର ଅନ୍ୟ ଶ୍ରେଷ୍ଠ ଦଳ ସହ ମ୍ୟାଚ୍‌ ଖେଳି ଭାରତ ତାର ପ୍ରସ୍ତୁତି ଜୋରଦାର କରିବାକୁ ସୁଯୋଗ ପାଇବ।

ହକି ବିଶ୍ୱକପ, ବିଶ୍ୱ ହକି ଲିଗ୍‌ ,ଏଚଆଇଏଲ, ଚାମ୍ପିୟନ୍ସଟ୍ରଫି ହକି, ଅଲିମ୍ପିକ କ୍ୱାଲିଫାୟର୍ସ ଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ବିଶ୍ୱର ହକି ପେଣ୍ଠସ୍ଥଳୀରେ ପରିଗଣିତ ହୋଇସାରିଛି କଳିଙ୍ଗ ଷ୍ଟାଡିୟମ।

ଆସନ୍ତା ଜାନୁଆରୀ, ଫେବ୍ରୁଆରୀ ଓ ମେ ମାସରେ ପ୍ରୋ-ଲିଗ ହକି ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ଓଡ଼ିଶା ସରକାରଙ୍କୁ ପ୍ରତିଯୋଗିତା ଆୟୋଜନ ପାଇଁ ଅନୁରୋଧ କରିଥିଲା। ଯାହାକୁ ରାଜ୍ୟସରକାର ଗ୍ରହଣ କରି ଏହି ପ୍ରତିଯୋଗିତା ଆୟୋଜନ କରିବା ପାଇଁ ହକି ଇଣ୍ଡିଆକୁ ସହମତି ପ୍ରକାଶ କରିଛନ୍ତି। କଳିଙ୍ଗରେ ପ୍ରୋ-ଲିଗର ୮ଟି ମ୍ୟାଚ୍‌ ଖେଳାଯିବ, ଯେଉଁଥିରେ ଭାରତ ବିଶ୍ୱର ୪ଟି ଶ୍ରେଷ୍ଠ ଟିମ୍‌ ନେଦରଲାଣ୍ଡ, ବେଲଜିୟମ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସହ ମ୍ୟାଚ ଖେଳିବ।

ପ୍ରଥମ ମ୍ୟାଚ ଜାନୁଆରୀ ମାସ ୧୭ ତାରିଖ ଓ ଦ୍ୱିତୀୟ ମ୍ୟାଚଟି ୧୯ ତାରିଖରେ ଖେଳାଯିବ। ଏହା ପ୍ରୋ-ଲିଗର ଦ୍ୱିତୀୟ ସଂସ୍କରଣ ହେବାକୁ ଯାଉଛି, ଯେଉଁଥିରେ ୪ଟି କନଫେଡରେସନର ୯ଟି ଦଳ ଅଶଂଗ୍ରହଣ କରିବେ। ପ୍ରୋ-ଲିଗରେ ଅଶଂଗ୍ରହଣ କରିବାକୁ ଥିବା ଦଳ ଗୁଡ଼ିକ ହେଲା-ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ଆଜେର୍ଣ୍ଟିନା, ଜର୍ମାନୀ, ବ୍ରିଟେନ୍‌, ସ୍ପେନ୍, ନ୍ୟୁଜିଲାଣ୍ଡ ଓ ଭାରତ। ')}

Leave a Reply