କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରି ବାଲି ଲୁଟ, ଭୂସ୍ଵର୍ଗ ପାଲଟିଛି କଳାହାଣ୍ଡି ଜିଲ୍ଲା

1 min read

ନନ୍ଦିଘୋଷ ବ୍ୟୁରୋ: ବାଲି ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି କଳାହାଣ୍ଡି ଜିଲ୍ଲା । ବେଧଡକ ଭାବରେ ଦିନତମାମ ବାଲି ଉତ୍ତୋଳନ କରୁଛନ୍ତି ବାଲି ମାଫିଆ । କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରାଯାଉଥିବା ଅଭିଯୋଗ । କେଉଁଠି ବିନା ଟ୍ରାଞ୍ଜିଟ ପର୍ମିଟ ରେ ଶହ ଶହ ଗାଡ଼ି ଚାଲାଣ ହେଉଛି ତ ଆଉ କେଉଁଠି ବିନା ଲିଜରେ ବାଲି ଉଠାଣ କରୁଛନ୍ତି ମାଫିଆ। ଆଉ ସେପଟେ ଜିଲ୍ଲା ଖଣି ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ । ବାଲି ମାଫିଆ ଓ ଖଣି ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଅଭିଯୋଗ

କଳାହାଣ୍ଡି ଜିଲ୍ଲାରେ ରହିଛି ଅନେକ ନଦୀ ନାଳ। ବିଶେଷ କରି ଜିଳ୍ଲାର ତେଲ ନଦୀ, ହାତୀ ନଦୀ ଓ ଉତେଇ ଏବଂ ରେତ ନଦୀରୁ ଦିନ ତମାମ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଇଛି । ହେଲେ ନୀରବ ଦ୍ରଷ୍ଟା ସାଜିଛି ଜିଲ୍ଲା ଖଣି ବିଭାଗ । ଯାହା ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। କିଛି ଦିନ ତଳେ ହାଇକୋର୍ଟଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସକାଳ ୬ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବାଲି ଉଠାଣ ହୋଇପାରିବ ନାହିଁ। ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏଠି ବେଧଡକ ଭାବରେ ଚାଲିଛି ବାଲି କାରବାର । ବାଲି ମାଫିଆ ଓ ଖଣି ବିଭାଗର ବଡ ବଡ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଦିନତମାମ ବାଲି ଉତ୍ତୋଳନ ହେଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ୧୦୦ ଟି ବାଲିଘାଟ ରହିଛି । ସେଥିମଧ୍ୟରୁ ୪୦ଟି ବାଲିଘାଟ ଲିଜରେ ରହିଥିବା ବେଳେ ଅନ୍ୟ ୬୦ଟି ଘାଟ ବେଆଇନ ଭାବରେ ଚାଲିଛି । ଅନେକ ବାଲିଘାଟରେ ବିନା ଟ୍ରାଞ୍ଜିଟ ପର୍ମିଟରେ ମଧ୍ୟ ବାଲି ଚାଲାଣ କରାଯାଉଛି ।

କିଛି ଦିନ ତଳେ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖଣି ବିଭାଗର ଏକ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଜିଲ୍ଲା ଖଣି ଅଧିକାରୀ ମୁରଲୀଧର ନାଏକ ଓ DDM ବିଶ୍ଵନାଥ ସୋରେନଙ୍କ ଉପରେ ବର୍ଷିବା ସହିତ ତାଗିଦ ମଧ୍ଯ କରିଥିଲେ । ଜିଲ୍ଲାରେ ଚାଲୁଥିବା ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେଇଥିଲେ । ହେଲେ ବାଲି ଚାଲାଣ ଉପରେ ରୋକ ଲାଗିପାରୁନାହିଁ । ଏପଟେ ଦିନରେ ବାଲି ଉତ୍ତୋଳନ ଉପରେ ରୋକ ଲଗାଯିବ ବୋଲି କହିଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ।