ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏଠି କାମ ଆରମ୍ଭ କରିଥିବା IAS ପହଞ୍ଚିଥାନ୍ତି ଗୁରୁତ୍ବପୂର୍ଣ୍ଣ ପଦବୀରେ

1 min read

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାରଙ୍କ ଶାସନ ପକ୍ରିୟାରେ ଆଇଏଏସ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶା କ୍ୟାଡରରେ ନିଯୁକ୍ତି ପାଇବା ପରେ ଆଇଏଏସ ଅଧିକାରୀ ମାନେ ପ୍ରାରମ୍ଭିକ ତାଲିମ ପାଇଁ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟାରମ୍ଭ କରିଥାନ୍ତି । ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏ ଦିଗରେ ବହୁ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଏଠାରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିବା ବହୁ ଆଇଏଏସ ଅଧିକାରୀ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟ ଶାସନ ସଚିବ ସହ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରି ପ୍ରଶଂସା ସାଉଣ୍ଟିଛନ୍ତି ।

କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହିଛି ଧର୍ମଗଡ ଉପଖଣ୍ଡ । କଲମପୁର, କୋକସରା, ଜୟପାଟଣା, ଗୋଲାମୁଣ୍ଡା, ଜୁନାଗଡ ଓ ଧର୍ମଗଡ ଭଳି ୬ଗୋଟି ବ୍ଲକ । ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ରାଜ୍ୟର ସବୁଠାରୁ ବଡ ଉପଖଣ୍ଡ ହେଉଛି ଧର୍ମଗଡ । ୧୯୫୨ମସିହାରେ ଉପଖଣ୍ଡ ମାନ୍ୟତା ପାଇଥିବା ଧର୍ମଗଡ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଇତି ମଧରେ ୭୯ଜଣ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ସାରିଛନ୍ତି । ଇତି ମଧ୍ୟରେ ୨୧ଜଣ ଆଇଏଏସ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଏଠାରୁ ତାଲିମ ପାଇବା ପରେ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସରକାରଙ୍କ ବିଭିନ୍ନ ବିଭାଗର ସଚିବ,ପ୍ରମୁଖ ସଚିବ, ନିର୍ଦ୍ଦେଶକ,କମିଶନର ଓ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ସବୁଠାରୁ ଗୁରୁ୍ତ୍ବପୂର୍ଣ୍ଣ କଥା ହେଉଛି ଯିଏ ଏଠୁ ତାଲିମ ପାଇ ଯାଇଛନ୍ତି ସେ ସରକାରଙ୍କ ଅନେକ ଗୁରୁଦାୟିତ୍ଵ ତୁଲାଇଛନ୍ତି ।

ଧର୍ମଗଡ ହେଉଛି ପବିତ୍ର ଭଣ୍ଡାର ଘରଣୀ ମାଟି ଏହି ମାଟିରେ ଅନେକ ଗୁଡ଼ିଏ ଆଇଏଏସ୍ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ୪୨ନମ୍ବର ଉପ ଜିଲ୍ଲା ପାଳ ଭାବରେ ପ୍ରଦୀପ କୁମାର ଜେନା ୧୯୯୧ମସିହାରେ ଯୋଗଦେଇ ୧୯୯୨ମସିହା ଯାଏଁ ଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି । ସେହିପରି ୪୩ ନମ୍ବର ଉପ ଜିଲ୍ଲାପାଳ ପ୍ରଦୀପ ଜେନାଙ୍କ ପରେ ୧୯୯୧ ମସିହାରେ ମନୋଜ ଆହୁଜା ଉପ-ଜିଲ୍ଲାପାଳ ଭାବେ ଯୋଗଦେଇ ପ୍ରଦୀପ ଜେନାଙ୍କୁ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ।

ଏବେ ନୂଆ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ଯୋଗ ଦେଇ ପୁଣି ପ୍ରଦୀପ ଜେନାଙ୍କ ଠାରୁ ଦାୟିତ୍ଵ  ଗ୍ରହଣ କରିଛନ୍ତି । ସେହିପରି ୨୦୦୨ ମସିହା ରେ ୫୭ ନମ୍ବର ଧର୍ମଗଡ  ଉପଜିଲ୍ଲାପାଳ ଭାବେ କାର୍ତ୍ତିକ ପଣ୍ଡିଆନ ନିଜ କାର୍ଯ୍ୟାରମ୍ଭ କରି ସରକାରଙ୍କ ବହୁ ଗୁରୁଦାୟିତ୍ଵ ସମ୍ଭାଳିବା ସହ ଓଡ଼ିଶାର ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ବ୍ୟବସ୍ଥାକୁ ରୂପାନ୍ତରଣ କରିଥିଲେ । କେବେଳ ଏହି ତିନିଜଣ ନୁହଁନ୍ତି ବରଂ ଅନେକ ଆଇଏଏସ ଅଧିକାରୀ ଏଠାରୁ ଉପଜିଲ୍ଲାପାଳ ଭାବରେ ଦାୟୀତ୍ବ ଗ୍ରହଣ କରିବା ପରେ ରାଜ୍ୟ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ଚର୍ଚ୍ଚାରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ସବୁଠାରୁ ବଡ ଉପଖଣ୍ଡ ହୋଇଥିବାରୁ ଏଠାରେ ଆଇଏଏସ ଅଧିକାରୀଙ୍କ ଉପଜିଲ୍ଲାପାଳ ଭାବରେ ତାଲିମ ନିଶ୍ଚିତ ଭାବରେ ସେମାନଙ୍କ କ୍ୟାରିୟରକୁ ସଠିକ୍ ଦିଗଦର୍ଶନ ଦେଇଥାଏ । ଲୋକଙ୍କ ଜନ ସମର୍ଥନ, ସ୍ନେହ ଭଲପାଇବା ଓ ପ୍ରେରଣା ଯୋଗୁଁ ଅନେକ ଆଏଏଏସ  ଏଠାରୁ ସଫଳ ହୋଇ ଚର୍ଚ୍ଚାରେ ରହିଛି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ।