ଆଜି ଅବସର ନେବେ ଜଷ୍ଟିସ ଏନଭି ରମଣା, ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଉଦୟ ଉମେଶ ଲଳିତ

ନୂଆଦିଲ୍ଲୀ: ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଏନଭି ରମଣା । ଦେଶରେ ପ୍ରଗତିଶୀଳ ଆଇନ ବ୍ୟବସ୍ଥା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଦେବା ସହ ସଂସ୍କାରମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି ରମଣା। ଗତକାଲି ଗୁଜରାଟ ଗଣଦୁଷ୍କର୍ମ ପୀଡ଼ିତା ବିଲକିସ ବାନୋଙ୍କ ଦୋଷୀଙ୍କୁ ମୁକ୍ତି ଓ ପେଗାସସ୍ ମାମଲାର ଶୁଣାଣି କରିଥିଲେ ରମଣା । ବିଲକିସଙ୍କ ଦୋଷୀଙ୍କ ମୁକ୍ତିକୁ ବିରୋଧ କରି ଦାଏର ପିଟିସନର ଶୁଣାଣି କରି କୋର୍ଟ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଥିଲେ ।

ଜଷ୍ଟିସ ରମଣାଙ୍କ ଅବସର ପରେ ଆସନ୍ତା କାଲି ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଉଦୟ ଉମେଶ ଲଳିତ । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ଜଷ୍ଟିସ ଲଳିତଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ । ପୂର୍ବରୁ ଜଷ୍ଟିସ ଲଳିତଙ୍କ ନାମକୁ ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା । ଗତ ୨୦୧୪ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ ଲଳିତ ହେଉଛନ୍ତି ଦଶର ଦ୍ୱିତୀୟ ସିଜେଆଇ ଯିଏ କି ସିଧାସଳଖ ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୧୯୫୭ରେ ଜନ୍ମିତ ଜଷ୍ଟିସ ଲଳିତ ବରିଷ୍ଠ ଆଇନଜୀବୀ ସୋଲି ଜେ. ସୋରାବଜୀଙ୍କ ଚାମ୍ବରରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଥିଲେ ।