କୁମାର ପୂର୍ଣ୍ଣିମା ଦ୍ବନ୍ଦ ଦୂର କଲେ ଜ୍ୟୋତିର୍ବ୍ବିଦ

ଭୁବନେଶ୍ବର: ପଞ୍ଜିକାର ତିଥି, ବାର, ଯାତ୍ରା, ଶୁଭ ତଥା ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ କରିଥାନ୍ତି । କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସୃଷ୍ଟି ହେଉଛି ଦ୍ବନ୍ଦ୍ବ । ଚଳିତବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ଥିବାରୁ ସାଧାରଣ ଲୋକ ଓ ହବିଷ୍ୟାଳୀଙ୍କ ମନରେ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ତେବେ ଦୂର କରିଛନ୍ତି ଜ୍ଯୋତିଶାଚାର୍ଯ୍ଯ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ୧୬ ତାରିଖରେ ଗଜଲକ୍ଷ୍ମୀ ପୂଜା କରାଯିବ । ଏହାର ପରଦିନ ଅର୍ଥାତ ୧୭ ତାରିଖରେ ପାଳନ ହେବ କୁମାର ପୂର୍ଣ୍ଣିମା ବ୍ରତ । ଫଳରେ ଶୁକ୍ରବାର ଠାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେବ । କାର୍ତ୍ତିକ ବ୍ରତ ପାଳନ ଆଗାମୀ ୧୮ ତାରିଖ ଠାରୁ କରିବା ପାଇଁ ପରାମର୍ଶ ଦେଇଛନ୍ତି ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା ।

ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏପରିକି ପର୍ବ ପର୍ବାଣି ମାନଙ୍କରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛାତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ । ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ତାରତମ୍ୟ ଦେଖାଯାଇଥିବାରୁ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଥିବା କହିଛନ୍ତି ବରିଷ୍ଠ ସେବାୟତ । ତେବେ ଶ୍ରୀମନ୍ଦିରରେ ଗୁରୁବାର ଦିନ କୁମାର ପୂର୍ଣ୍ଣିମା ପାଳନ କରାଯାଉଥିବା ନେଇ ସ୍ପଷ୍ଟ କରିଛନ୍ତି ନୀତି ପ୍ରଶାସକ ।

ଦୈନନ୍ଦିନ ଚଳଣି ନେଇ ହିନ୍ଦୁ ଧାର୍ମିକ ବ୍ୟବସ୍ଥାରେ ପାଞ୍ଜିକାର ପ୍ରଚଳନ ରହିଥିବା ବେଳେ ସଠିକ ତଥ୍ୟ ଦେବାକୁ ମତ ପ୍ରକାଶ ପାଇଛି ।