ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ, ୮ ଗିରଫ

Kidnap

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାଶ । ୮ ଜଣଙ୍କୁ ଗିରଫ କଲା ପୋଲିସ । ଘଟଣାରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କ ସହ ଯନ୍ତ୍ରୀଙ୍କ ସୁନା ଚେନ୍ କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଶିବ ତାଣ୍ଡି, ପଙ୍କଜ ବାଗ, ଲଲିତ ତାଣ୍ଡି, ବୁଲୁ ମନହିରା, ପ୍ରକାଶ ମହାକୁଡ଼, ନିରଞ୍ଜନ ଅଚାରୀ, ତୋଫାନ ତାଣ୍ଡି ଓ ସଞ୍ଜୟ ସୋନୀ ବୋଲି ଜଣାପଡ଼ିଛି ।

jharsuguda police

ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ରବି ତାଣ୍ଡି ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅଫିସରେ କାମ କରୁଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ସେ କିଛିଦିନ ଅଫିସ ଆସି ନଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ । ଏଥିରେ ଉତ୍ୟକ୍ତ ହୋଇ ତାଙ୍କର ଦୁଇ ପୁଅ ଶିବ ଓ ତୋଫାନ ସାଙ୍ଗମାନଙ୍କ ସହ ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ କରିବାକୁ ଷଡଯନ୍ତ୍ର କରିଥିଲେ । ଗତ ୬ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏହି ଅପହରଣ ଘଟଣା । ଯନ୍ତ୍ରୀଙ୍କ ଠାରୁ ଚୋରି ହୋଇଥିବା ସୁନା ଚେନ୍‌ କିଣିଥିବା ବ୍ୟକ୍ତିଙ୍କୁ ଗିରଫ ପରେ ସମସ୍ତ ଅଭିଯୁକ୍ତ ଧରା ପଡିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ।

Leave a Reply