ଉପନିର୍ବାଚନ ପ୍ରଚାରରେ ବିଜେପି ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ କଲା ବିଜେଡି

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରରେ ବିଜେପି ପ୍ରାର୍ଥୀ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି । ଏନେଇ ଆଜି ବିଜେଡି ପକ୍ଷରୁ ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସରଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅଭିଯୋଗ ଅନୁସାରେ ରାତି ଅଧରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାର କରୁଛନ୍ତି ।

ଆଦର୍ଶ ନିର୍ବାଚନ ଆଚରଣବିଧି ଅନୁସାରେ ରାତି ୧୦ଟା ପରେ ପ୍ରଚାର ମନା । ମାତ୍ର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତକାଲି ରାତି ଗୋଟାଏରୁ ଦୁଇଟା ମଧ୍ୟରେ ଲଳିତ ହେରିଟେଜ ନିକଟ ସାମସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ । ଯାହାର ଭିଡିଓ ଫୁଟେଜ ଓ ଫଟୋ ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛି ବିଜେଡି । ଆଚରଣବିଧି ଭାଙ୍ଗିବା ବିଜେପିର ଅଭ୍ୟାସ ବୋଲି ବିଜେଡି ଅଭିଯୋଗ କରିଛି । ତେଣୁ ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।