ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ରେକର୍ଡ ଭୋଟିଂ !

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ରେକର୍ଡ ଭୋଟିଂ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲୋକ ଅତ୍ୟନ୍ତ ଉତ୍ସାହର ସହିତ ଭାଗ ନେଇଛନ୍ତି। ଅପରାହ୍ନ ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି, ପୁରା ଡାଟା ଆସିଲେ ମତଦାନ ହାର ଆହୁରି ବଢ଼ିଛି। ରାତିରେ ସେହି ତଥ୍ୟ ଆସିବ ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନର ବ୍ୟବସ୍ଥା ହୋଇଥିଲା। ଜମସେଦପୁର ପଶ୍ଚିମରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ଥିଲେ। ଜଗନ୍ନାଥପୁରରେ ଅଛନ୍ତି ସବୁଠୁ କମ୍ ୮ ଜଣ ପ୍ରାର୍ଥୀ। ମୋଟ ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଏବଂ ୭୩ ଜଣ ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୩୫ ପ୍ରାର୍ଥୀ କୋଟିପତି ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ।ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ଅଛି ଗଣତି। ଆଜି ୧୦ ରାଜ୍ଯର ୩୧ ଆସନରେ ବି ହୋଇଛି ଉପନିର୍ବାଚନ। କେରଳ ୱେଏନାଡରୁ ନିର୍ବାଚନ ଲଢୁଛନ୍ତି ପ୍ରିୟଙ୍କା ଗାନ୍ଧି।