ସଙ୍କଟରେ ସୋରେନ ସରକାର, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଥିବାବେଳେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଆଜି ସୋରେନଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ବୈଠକ । ଉଭୟ ଜେଏମଏମ ଓ କଂଗ୍ରେସର ବିଧାୟକମାନେ ଛତିଶଗଡ଼ ଚାଲିଯିବା ନେଇ ସୂଚନା ମିଳିଛି । ଏପରିକି ପ୍ରାୟ ସମସ୍ତ ବିଧାୟକ ନିଜ ନିଜର ଜିନିଷପତ୍ର ସୁଟକେଶ୍‌ ଆଣିଥିବା ଦେଖାଯାଇଛି ।

ସରକାରରେ ସଙ୍କଟ କାଳରେ ବିଧାୟକମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଆଶଙ୍କା ଥିବାରୁ ସେମାନଙ୍କୁ ଛତିଶଗଡ଼ ନିଆଯିବ । ୮୧ ଆସନ ବିଶିଷ୍ଟ ବିଧାନସଭାରେ ମହାଗଠବନ୍ଧନ ସରକାରରେ ଜେଏମଏମର ୩୦, କଂଗ୍ରେସ ୧୯, ଆରଜେଡିର ଜଣେ, ଏନସିପିର ଜଣେ, ସିପିଆଇଏମଏଲର ଜଣେ ବିଧାୟକ ଅଛନ୍ତି । ସେହିପରି ଏନଡିଏରେ ବିଜେପିର ୨୬, ଅଜସୁର ୨ ବିଧାୟକ ଅଛନ୍ତି ।

ଗତକାଲି ସୋରେନଙ୍କ ବାସଭବନରେ ଆୟୋଜିତ ବୈଠକରେ ଉଭୟ ଜେଏମଏମ ଓ କଂଗ୍ରେସ ବିଧାୟକମାନେ ଯୋଗଦେଇ ସ୍ଥିତି ସମୀକ୍ଷା କରିଥିଲେ । ତେଣେ ଯଦି ହେମନ୍ତ ଇସ୍ତଫା ଦିଅନ୍ତି ତେବେ ପତ୍ନୀ କଳ୍ପନା ହୋଇପାରନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏନେଇ ଚାଲିଛି କଳ୍ପନାଜଳ୍ପନା । ମୟୂରଭଞ୍ଜରେ ଜନ୍ମିତ କଳ୍ପନା ୨୦୦୬ ଫେବ୍ରୁଆରୀ ୭ରେ ହେମନ୍ତଙ୍କୁ ବିବାହ କରିଥିଲେ । ଯଦି ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ନାଳା, ଜାରମୁଣ୍ଡି କିମ୍ବା ଦୁମ୍ରିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଚାଲିଛି ।