ମୁଖ୍ୟମନ୍ତ୍ରୀ ପଦ ହରାଇବା ଆଶଙ୍କା ଭିତରେ ବିଧାୟକ ଦଳ ବୈଠକ ଡାକିଲେ ହେମନ୍ତ ସୋରେନ

1 min read

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଡାକିଛନ୍ତି ୟୁପିଏ ବୈଠକ। ଖଣି ଖାଦାନର ନିଲାମ ନିଜ ନାଁରେ କରି ଅଡ଼ୁଆରେ ଫସିଥିବା ହେମନ୍ତ ସୋରେନ ରାଞ୍ଚିସ୍ଥିତ ନିଜ ବାସଭବନରେ ବୈଠକ ଡାକିଛନ୍ତି। ଅଫିସ ଅଫ ପ୍ରଫିଟ ବିବାଦ କ୍ରମେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରିବାକୁ ନିର୍ବାଚନ କମିଶଦ ସୁପାରିସ କରିଥିବା ଚର୍ଚ୍ଚା ହେଉଛି। ତେବେ ଏହାରି ଭିତରେ ହେମନ୍ତ ଆଜି ଜରୁରୀ ପରିସ୍ଥିତିରେ ବିଧାୟକ ଦଳ ବୈଠକ ଡାକିଛନ୍ତି। ବୈଠକରେ ଏନେଇ ସବିଶେଷ ଆଲୋଚନା ହେବ । ଏହି ପ୍ରସଙ୍ଗରେ ରାଜ୍ୟପାଳ ରମେଶ ବ୍ୟାସ ଆଜି କୌଣସି ପଦକ୍ଷେପ ନେବା ବି ସମ୍ଭାବନା ରହିଛି।

ସେପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି- ମେଣ୍ଟ ସରକାର ପ୍ରତି କୌଣସି ବିପଦ ନାହିଁ । ହେମନ୍ତ ୨୦୨୪ ଯାଏ ମୁଖ୍ୟମନ୍ତ୍ରୀ ରହିବେ। ଗତକାଲି ହେମନ୍ତ କହିଥିଲେ- ସେ ବର୍ତ୍ତମାନ ସୁଦ୍ଧା ଅଫିସ ଅଫ ପ୍ରଫିଟ ପ୍ରସଙ୍ଗରେ କୌଣସି ସୂଚନା ପାଇନାହାନ୍ତି। ଯଦି ହେମନ୍ତଙ୍କୁ ଅଯୋଗ୍ୟ ଘୋଷିତ କରାଯାଏ ତିବେ ସୁପ୍ରିମକୋର୍ଟ ଯିବାକୁ ଧମକ ଦେଇଛି ଜେଏମଏମ।

୮୨ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମର ୩୦ ବିଧାୟକ ଥିବାବେଳେ କଂଗ୍ରେସର ୧୭ ବିଧାୟକ ଅଛନ୍ତି। ବିଜେପିର ଅଛନ୍ତି ୨୫ ବିଧାୟକ। ତେଣେ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଦାବି କରିଛି ବିଜେପି । ଜେଏମଏମର ସହଯୋଗୀ କଂଗ୍ରେସ କହିଛି- ସିଲ୍ ହୋଇଥିବା ରିପୋର୍ଟ ସମ୍ପର୍କରେ ଦଳ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମ୍ପର୍କରେ ଆଲୋଚନା କରିଛି । ଉଭୟ ଜେଏମଏମ ଓ କଂଗ୍ରେସ ରଣନୀତି ନିର୍ଦ୍ଧାରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ନିଜ ନାମରେ ମାଇନିଂ ଲିଜ୍ ହାସଲ କରିଥିବା ନେଇ ଅଭିଯୋଗ ମାମଲାର ଶୁଣାଣି ଗତ ସୋମବାର ନିର୍ବାଚନ କମିଶନ ଶେଷ କରିଥିଲେ । ମଙ୍ଗଳବାର ଦିନ ରାଜ୍ୟପାଳ ରମେଶ ବ୍ୟାସଙ୍କ ନିକଟକୁ ଇସି ଏସମ୍ପର୍କରେ ପତ୍ର ଲେଖିଥିଲେ । ଗତ ଅଗଷ୍ଟ ୧୮ ତାରିଖରେ ଉଭୟ ବିଜେପି ଓ ଜେଏମଏମ ନିର୍ବାଚନ କମିଶନ ନିକଟରେ ପକ୍ଷ ରଖିଥିଲେ । ପୂର୍ବରୁ ରାଜ୍ୟରେ ଜେଏମଏମ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିଜେପି ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲେ ଜେଏମଏମ ଓ କଂଗ୍ରେସ ।