ପିସିଏସ୍ ଜ୍ୟୋତି ମୋର୍ଯ୍ୟ ମାମଲା ରିପିଟ୍; ସରକାରୀ ଚାକିରି ପରେ ସ୍ୱାମୀକୁ ଛାଡିଲା ସ୍ତ୍ରୀ

ନୂଆଦିଲ୍ଲୀ : ଝାନସୀରେ ପୁଣି ବହୁଚର୍ଚ୍ଚିତ ପିସିଏସ୍ ଜ୍ୟୋତି ମୋର୍ଯ୍ୟ ମାମଲା ରିପିଟ୍ । ସରକାରୀ ଚାକିରି ପରେ ସ୍ୱାମୀକୁ ଛାଡିଲା ସ୍ତ୍ରୀ । ଏପରି ଘଟଣା ଝାନସୀ ସହରର କେତବାଲି ଅନ୍ତର୍ଗତ ଅଞ୍ଚଳରେ ଦେଖିବାକୁ ମିଳିଛି । ଏକାଠାର ବାସିନ୍ଦା ନୀରଜ ବିଶ୍ୱକର୍ମା ଏବେ ନିଜ ସ୍ତ୍ରୀକୁ ଫେରାଇ ଆଣିବାକୁ ପୋଲିସ ଓ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ତ ହୋଇଛନ୍ତି । ସ୍ୱାମୀଙ୍କ କହିବା ଅନୁଯାୟୀ ସେ ୫ ବର୍ଷ ପୂର୍ବେ ରିଚାଙ୍କ ସହ ପ୍ରେମ ବିବାହ କରିଥିଲେ । ନିଜ ପତ୍ନୀଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ସେ ଦିନ ରାତି କଠିନ ପରିଶ୍ରମ କରୁଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ସରକାରୀ ଚାକିରି ପାଇବା ପରେ, ସେ ତାଙ୍କୁ ଛାଡି ଚାଲି ଯାଇଛନ୍ତି ।

ସୂଚନା ଅନୁଯାୟୀ ବୁଧବାର ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ଆକାଉଣ୍ଟାଣ୍ଟ ପଦ ପାଇଁ ନିଯୁକ୍ତି ପତ୍ର ମିଳିଥିଲା, ତାହା ପରଠୁ ସେ ଆଉ ଘରକୁ ଫେରି ନାହାନ୍ତି । ଏପଟେ ତାଙ୍କ ସ୍ୱାମୀ ତାଙ୍କୁ ଖୋଜି ଖୋଜି ନୟାନ୍ତ ହେଲେଣି । ସ୍ୱାମୀ ବିଶ୍ୱକର୍ମାଙ୍କ କହିବା ଅନୁଯାୟୀ, ସେ ୫ବର୍ଷ ପୂର୍ବେ ଝାନସୀର ସତ୍ୟମ କଲୋନୀର ବାସିନ୍ଦା ରିଚା ସୋନୀଙ୍କୁ ପ୍ରେମ ବିବାହ କରିଥିଲେ । ଯାହା ପରେ ହସଖୁସିରେ ତାଙ୍କ ସଂସାର ଚାଲିଥିଲା । ରିଚା ନିଜ କ୍ୟାରିୟରରେ ଆଗକୁ ବଢିବାକୁ ଚାହିୁଁଥିବାରୁ ବିଶ୍ୱକର୍ମା ତାଙ୍କୁ ଆଗକୁ ପଢିବାକୁ ସମସ୍ତ ପ୍ରକାର ସହଯୋଗ କରିବା ସହ ଦିନ ରାତି ମଜଦୁରୀ କରୁଥିଲେ । ପେଶାରେ ସେ ଜଣେ ବଢେଇ ଥିଲେ କିନ୍ତୁ ନିଜ ସ୍ତ୍ରୀର ସ୍ୱପ୍ନ ସାକାର କରିବାକୁ ଦିନ ରାତି ଏକ କରି ଦେଇଥିଲେ  । ହେଲେ ପରିଶେଷରେ ରିଚା ସରକାରୀ ଚାକିରି ପାଇବା ପରେ ତାଙ୍କୁ  ଛାଡି ଚାଲିଯାଇଛନ୍ତି । ନିଜ ପତ୍ନୀଙ୍କୁ ଫେରାଇ ଆଣିବାକୁ ଯୁବକ ଜଣକ ପୋଲିସ ପାଖରେ ଗୁହାରୀ କରିଛନ୍ତି ।