ଅପରେସନ ଲୋଟସ ଆଶଙ୍କା; ବିହାରରେ ବିଜେପି ହାତ ଛାଡ଼ିବ ଜେଡିୟୁ !

1 min read

ପାଟଣା: ଆଜି ବିହାର ରାଜନୀତିରେ ହୋଇପାରେ ବଡ଼ ଧରଣର ବିସ୍ଫୋରଣ । ସହଯୋଗୀ ବିଜେପିର ହାତ ଛାଡ଼ିପାରନ୍ତି ଜେଡିୟୁ ମୁଖ୍ୟ ତଥା ସିଏମ ନୀତୀଶ କୁମାର । ଦୀର୍ଘ ଦିନ ଧରି ଅସନ୍ତୋଷ ଘେରରେ ଥିବା ନୀତୀଶ ଆଜି ଡାକିଛନ୍ତି ବିଧାୟକ ଦଳ ବୈଠକ । ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିବାର ରହିଛି ସମ୍ଭାବନା । ତେଣେ ବିଜେପି ବି ଡାକିଛି ବିଧାୟକ ଦଳ ବୈଠକ । ତେଣେ ପାଟଣା ଛାଡ଼ି ନଯିବା ଲାଗି ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ।

ବିହାରର ବରିଷ୍ଠ ଜେଡିୟୁ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ବୈଠକରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି । ନୀତୀଶ କୁମାରଙ୍କ ନିଷ୍ପତ୍ତି ନେଇ କୌଣସି ମନ୍ତବ୍ୟ ନଦେବାକୁ ନିଜ ଦଳର ନେତାଙ୍କୁ ନିର୍ଦ୍ଦେଶ ଦେଇଛି ବିଜେପି । ବିହାରରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ବର୍ତ୍ତମାନ ଆରଜେଡି ରହିଛି । ଦଳର ବିଧାୟକ ସଂଖ୍ୟା ୮୦ ରହିଛନ୍ତି । ଯଦି ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗେ ତେବେ ଜେଡିୟୁକୁ ସମର୍ଥନ କରିପାରନ୍ତି ଆରଜେଡି, କଂଗ୍ରେସ ଓ ବାମପନ୍ଥୀ । କ୍ରମାଗତ ବିଜେପିର ଚାପରେ ନୟାନ୍ତ ହୋଇ ଆସିଛନ୍ତି ନୀତୀଶ । ଆରସିପି ସିଂଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିବା, ଗତ ସାଧାରଣ ନିର୍ବାଚନରେ ଜେଡିୟୁ ପ୍ରତି ଅବମାନନା, ଜେଡିୟୁରୁ ଅଧିକ ମନ୍ତ୍ରୀ ପଦ ଲାଗି ନୀତୀଶଙ୍କ ଦାବି ପୂରଣ ନହେବା ଆଦି କାରଣକୁ ନେଇ କ୍ଷୁବ୍ଧ ଅଛନ୍ତି ନୀତୀଶ ।

ସେପଟେ ମହାରାଷ୍ଟ୍ର ପରି ବିହାରରେ ଅପରେସନ ଲୋଟସ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି ନୀତୀଶ । ନୀତି ଆୟୋଗ ବୈଠକରେ ଯୋଗ ଦେଇ ନଥିବା ନୀତୀଶ ଜୁଲାଇ ୧୭ରେ ଗୃହମନ୍ତ୍ରୀ ଅମିତ ଶାହ ଡାକିଥିବା ମୁଖ୍ୟମନ୍ତ୍ରୀ ସମ୍ମିଳନୀକୁ ବି ବୟକଟ କରିଥିଲେ ।