ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଜୟନାରାୟଣ ମିଶ୍ର
ଭୁବନେଶ୍ବର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଘାରିଛି ଗିରଫ ଭୟ। ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳୀନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସମ୍ବଲପୁର ଦୁର୍ଗାପାଲ୍ଲୀଠାରେ ଏକ ବେଆଇନ ନିର୍ମାଣର ଉଚ୍ଛେଦ ସମୟରେ କାର୍ଯ୍ୟରତ ତହସିଲଦାରଙ୍କୁ ଜୟନାରାୟଣ ଓ ତାଙ୍କ ଗୁଣ୍ଡାମାନେ ବିରୋଧ କରିବା ସହ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳୀନ ତହସିଲଦାର ଏକ ମାମଲା ରୁଜୁ କରିଥିଲେ । ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ ।
ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଗତ ଫେବ୍ରୁଆରୀରେ ମାମଲା ରୁଜୁ ହୋଇଥିଲା । ଏହି ଦୁଇଟି ମାମଲା ଏବେ ବି କୋର୍ଟରେ ବିଚରାଧିନ ଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଛି । ଏହିଦୃଷ୍ଟିରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।