ଛେପ ପକାଇ କେଶ କାଟିଲେ ଜାୱେଦ ହବିବ୍, ସୋସିଆଲ ମିଡିଆରେ ଭାଇରାଲ

ଛେପ ପକାଇ କେଶ କାଟିଲେ ଜାୱେଦ ହବିବ୍

ପ୍ରସିଦ୍ଧ ହେୟାର ଏକ୍ସପର୍ଟ ଜାୱେଦ ହବିବଙ୍କର ଏକ ଭିଡିଓ ସୋସାଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗୁଛି । ଯେଉଁଥିରେ ସେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ କେଶ କାଟିବାକୁ ଦର୍ଶକଙ୍କୁ ପରାମର୍ଶ ଦେଉଛନ୍ତି । ଗତ ଜାନୁଆରୀ ୩ ତାରିଖରେ ଆୟୋଜିତ ହୋଇଥିବା ଏକ ସୋରେ ଜାୱେଦ ଜଣେ ମହିଳାଙ୍କୁ କେଶ କାଟିବା ନିମନ୍ତେ ନିମନ୍ତ୍ରଣ କରିଥିଲେ ଏବଂ ମହିଳା ଜଣକ ଖୁବ୍ ଉତ୍ସାହରେ ସେଠାକୁ ଯାଇଥିଲେ । ମାତ୍ର, ତାଙ୍କ ସାଙ୍ଗରେ ଏଭଳି ଘଟଣା କଥା ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।

ମହିଳାଙ୍କ କହିବାନୁସାରେ ହାଇୱେ ସ୍ଥିତ କିଙ୍ଗ୍ ବିଲ୍ଲା ନାମକ ହୋଟେଲରେ ଜାୱେଦ୍ ନିଜର ଏକ ୱାର୍କସପ୍ ଆୟୋଜନ କରିଥିଲେ । ଯେଉଁଥିରେ କେଶକୁ ନେଇ ସେ କିଛି ଟିପ୍ସ ଦେଉଥିଲେ ଏବଂ ଏକ ଡେମୋ ଦେଖାଇବା ପାଇଁ ଉକ୍ତ ମହିଳାଙ୍କୁ ଜଣଙ୍କୁ ଡାକିଥିଲେ । ପାଣିର ଅଭାବ ଥିଲେ ଏଭଳି ପନ୍ଥା ଅବଲମ୍ବନ କରିପାରିବେ କହି ଜାୱେଦ୍ ମହିଳାଙ୍କ ମୁଣ୍ଡରେ ଛେପ ପକାଇଥିଲେ । ଏହାପରେ ମହିଳା ଜଣକ ତାଙ୍କ ପାଖରେ କେଶ କାଟିବାକୁ ତୁରନ୍ତ ମନା କରିଦେଇଥିଲେ । ମହିଳାଙ୍କ ନାଁ ପୂଜା ଗୁପ୍ତା ବୋଲି ଜଣାପଡ଼ିଛି । ପୂଜାଙ୍କର ଏକ ପାର୍ଲର ଥିବା ବେଳେ ନିଜ ଛାତ୍ରୀଙ୍କ ସହ ସେ ସେଠାକୁ କିଛି ନୂଆ ଜିନିଷ ଶିଖିବାକୁ ଆସିଥିଲେ । ଏଥିସହ ସେ କହିଥିଲେ ଜାୱେଦଙ୍କଠୁ କେଶ କାଟିବା ଅପେକ୍ଷା ଛୋଟମୋଟ ବାରିକଠୁ କେଶ କାଟିବା ଢେର ଗୁଣା ଭଲ ।

ସେମିନାରରେ ଭାଗ ନେବା ପାଇଁ ସେ ୨୫୦୦ ଟଙ୍କାର ପ୍ରବେଶ ମୂଲ୍ୟ ଦେବା ସହ ସେଠାରେ ତାଙ୍କୁ ୫ ହଜାର ଟଙ୍କାର ଉପହାର ମିଳିବ । ଏଥିସହ ସମସ୍ତେ କେମିକାଲ ମେକଅପର ତାଲିମ୍ ମଧ୍ୟ ନେଇପାରିବେ ବୋଲି କୁହାଯାଇଥିଲା । ମାତ୍ର, ସେଠାରେ ଜାୱେଦ୍ ତାଙ୍କ ସହ ଅସଦାଚରଣ କରିବା ଦ୍ୱାରା ପୂଜାଙ୍କ ସହ ଆସିଥିବା ଛାତ୍ରୀଙ୍କ ଆଗରେ ସେ ଲଜ୍ଜା ଅନୁଭବ କରିଥିଲେ । ଜାୱେଦ୍ ତାଙ୍କର ୯ ବର୍ଷର କ୍ୟାରିୟର ବର୍ବାଦ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଜାୱେଦଙ୍କୁ ବୟକଟ୍ କରିବାକୁ ଲୋକେ ଦାବି କରୁଥିବା ବେଳେ ଏନେଇ ପୂଜା ଥାନାରେ ଅଭିଯୋଗ କରିବା ପରେ ମାମଲାର ଯାଞ୍ଚ କରିବା ସହ ଖୁବ୍ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ ବୋଲି ଏସଏସପି ଅଭିଷେକ ଯାଦବ ସୂଚନା ଦେଇଛନ୍ତି ।

Leave a Reply