ବାଲେଶ୍ବରରେ ସରିଲା ଜଉ କଣ୍ଢେଇ ବାହାଘର

ବାଲେଶ୍ୱର : ବାଜୁଛି ବାଜା । ଚିକମିକ ରଙ୍ଗୀନ ଲାଇଟରେ ଚାଲିଛି ଶୋଭାଯାତ୍ରା । ରୋଷଣୀ କରି କନ୍ଯାଘରକୁ ବାହାରିଛି ବର । ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଶହ ଶହ ବରଯାତ୍ରୀ । ବାଲେଶ୍ବର ସହଦେବଖୁଣ୍ଟାରେ ଚାଲିଛି ପାରମ୍ପରିକ କଣ୍ଢେଇ ବାହାଘର । ଲୋକନାଥ ମନ୍ଦିରରେ ବୈଦିକ ରୀତିନୀତିରେ ପ୍ରସିଦ୍ଧ ଗଳ୍ପ ସୁଅ ମୁହଁରେ ପତର ର ନାୟକ ଅପର୍ତ୍ତି ନାୟିକା ଗୁରେଇକୁ ବିବାହ କରିଛି । ଏଥପାଇଁ ମିଶନ ହାଇ ସ୍କୁଲ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବରଯାତ୍ରୀ ବାହାରି ସହର ପରିକ୍ରମା କରି ଲୋକନାଥ ମନ୍ଦିରରେ ପହଞ୍ଚିଥିଲେ । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଦ୍ଵାରା ପୁରୀର ସାହିଯାତ, ବାଲେଶ୍ଵରର ରଙ୍ଗ ଢୋଲ, ଦୁବଲାଗଡ଼ର ପିତୁଳା ନାଚ, ମାଣିକ ଖମ୍ବର ପାଇକ ଆଖଡା, ଭଦ୍ରକର ଲଉଡି, ନୀଳଗିରିର ଆଦିବାସୀ ନୃତ୍ୟରେ ଦୁଲୁକିଥିଲା ପରିବେଶ ।
ପୁରୁଣା ଲୋକ କଳାକୁ ବଜାଇ ରଖିବା ଉଦ୍ଦେଶ୍ଯରେ ବାଲେଶ୍ବରରେ ପ୍ରତିବର୍ଷ ଆୟୋଜିତ ହେଉଛି କଣ୍ଢେଇ ବାହାଘର । ଏଥିପାଇଁ ଦୋଳ ପୂର୍ଣ୍ଣିମାରେ କଣ୍ଢେଇର ନାମ କରଣ କରାଯାଏ । ରାମ ନବମୀରେ କଣ୍ଢେଇ ଗଢ଼ା ଯାଇ ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନ ଧାର୍ଯ୍ଯ ସହ ବର ଓ କନ୍ୟାର କର୍ତ୍ତା ଚୟନ କରାଯାଇଥାଏ । ସାବିତ୍ରି ବ୍ରତ ପୂର୍ବଦିନ ଚତୁର୍ଥୀ କାର୍ଯ୍ୟ କରାଯାଇଥାଏ । ବିବାହ ଉତ୍ସବରେ ଦେଖିବାକୁ ମିଳେ ଭାଇଚାରାର ଦୃଶ୍ଯ । ଜାତି, ଧର୍ମ ବିଭେଦକୁ ଭୁଲି ସଭିଏଁ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି । ହଜି ଯାଉଥିବା ଯୋଉ କଣ୍ଡେଇକୁ ପୁଣି ଲୋକଲୋଚନକୁ କଣ୍ଢେଇ ବିବାହ କମିଟି ପ୍ରତିବର୍ଷ କରୁଛି ଏପରି ଆୟୋଜନ ।