ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୫: ଏକ ରାଷ୍ଟ୍ର ଏକ ନିର୍ବାଚନ କେତେଦୂର ଯୁକ୍ତିଯୁକ୍ତ ?
1 min read
ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ର ଦ୍ବିତୀୟ ଅଧିବେଶନର ବିତର୍କ ଥିଲା ଏକ ରାଷ୍ଟ୍ର ଏକ ନିର୍ବାଚନ । ରାଜ୍ୟସଭା ସାଂସଦ ମହୁଆ ମାଜି ଏବଂ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ ଅତିଥି ଭାବେ ଯୋଗ ଦେଇ ନିଜ ମତ ରଖିଛନ୍ତି ।
ରାଜ୍ୟସଭା ସାଂସଦ ମହୁଆ ମାଜି କହିଛନ୍ତି, ଏକ ଦେଶ ଏକ ନିର୍ବାଚନରେ ଆଞ୍ଚଳିକ ଦଳକୁ କ୍ଷତି ପହଞ୍ଚି ପାରେ । ରାଷ୍ଟ୍ରୀୟ ଦଳଗୁଡିକର ନିର୍ବାଚନରେ ପ୍ରଭାବ ଅଧିକ ରହିବା ସମ୍ଭାବନା ରହିଛି । ଆଞ୍ଚଳିକ ଦଳ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇପାରିବେ । କିନ୍ତୁ ଜାତୀୟ ଦଳ କେବଳ ଟିକେଟ ରାଜନୀତି କରିଥାଏ । ସ୍ଥାନୀୟ ବାସିନ୍ଦା ହୋଇ ନଥିଲେ ମଧ୍ୟ ଟିକେଟ ମିଳିଯାଏ ।ଇ ଏହାର କ୍ଷତି ସାଧାରଣ ଜନତା ସହିଥାନ୍ତି । ଅଂଚଳର ବିକାଶରେ ଆଞ୍ଚଳିକ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ନିର୍ବାଚନ ଭୁଲ ନୁହଁ, କିନ୍ତୁ ଏହା ପଛରେ ଉଦ୍ଦେଶ୍ୟ ମନ୍ଦ ରହିଛି ବୋଲି କହିଛନ୍ତି ମହୁଆ । ଏହା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ କରୁଛନ୍ତି ଆଞ୍ଚଳିକ ଦଳ । ଆଞ୍ଚଳିକ ଦଳଗୁଡିକୁ ଦମନ କରିବାକୁ ଷଡ଼ଯନ୍ତ୍ର ସନ୍ଦେହ ହେଉଛି ବୋଲି ସେ କହିଛନ୍ତି । ସମ୍ବିଧାନ ଉପରେ ମଧ୍ୟ ବିପଦ ସୃଷ୍ଟି ହେବା ଭଳି ମନେ ହେଉଛି । ଲୋକତନ୍ତ୍ର ଏକତନ୍ତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏହାକୁ ନେଇ ବିରୋଧ ହେଉଛି ବୋଲି କହିଛନ୍ତି ମହୁଆ ।
ଅନ୍ୟପଟେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ ଏକ ଦେଶ ଏକ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି, ପୂର୍ବରୁ ଦେଶରେ ଏକ ଦେଶ ଏକ ନିର୍ବାଚନ ବ୍ୟବସ୍ଥା ଥିଲା । ଜନତା ଯେଉଁ ନେତାକୁ ବାଛିବାକୁ ଚାହିଁବେ ବାଛିବେ । ଏକକ ନିର୍ବାଚନ ହେଉ ବି ପୃଥକ ନିର୍ବାଚନ । ଏକ ଦେଶ ଏକ ନିର୍ବାଚନକୁ ନେଇ ବିରୋଧୀ ବିରୋଧ କରି ଆସୁଛନ୍ତି । ତେବେ ନିର୍ବାଚନ ତୁଳନାରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ନେଇ ବିରୋଧୀଙ୍କ ଆପତ୍ତି ରହିଛି ବୋଲି କହିଛନ୍ତି ଯଶବନ୍ତ । ଓଡ଼ିଶାରେ ଏକା ଥରକେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଛି । ଏଠାରେ ଅଲଗା ଅଲଗା ଦଳରର ସରକାର ଆସୁଥିଲା । ଚଳିତଥର କେବଳ ଗୋଟିଏ ଦଳର ସରକାର ଆସିଛି । ଯେଉଁ ଦଳ ସରକାରରେ ଅଛି ବିପକ୍ଷଙ୍କ ବିଶ୍ଵାସ ନେଇ ସାଥିରେ ଯିବା ଆବଶ୍ୟକ । ଯଦି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେଲେ ମ୍ୟୁନିସିପାଲିଟିଠାରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ନିର୍ବାଚନରେ ନିର୍ବାଚିତ ପ୍ରତିନିଧି ୫ ବର୍ଷ ପର୍ଯ୍ୟନ୍ତ ଆଉ ଜନତାଙ୍କ ନିକଟକୁ ନଯିବା ଭଲି ସ୍ଥିତି ଉପଜି ପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଯଶବନ୍ତ ଦେଶମୁଖ ।