ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ନୃତ୍ଯରେ ଦୁଲୁକିଲା ପୁରୀ ତାଳବଣିଆ
1 min read
ପୁରୀ : ଓଡ଼ିଆଣୀ ବେଶରେ ଜାପାନ କଳାକାର । ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ସଂଗୀତରେ ବିଦେଶୀ କଳାକାରଙ୍କ ଚମତ୍କାର ନୃତ୍ଯ । ଉତ୍କଳୀୟ ସଂସ୍କୃତିକୁ ଅତି ନିଖୁଣ ଭାବେ ଉପସ୍ଥାପନ କଲେ କଳାକାର । ମଞ୍ଚରେ ଦେଖିବାକୁ ମିଳିଲା ଭାରତ ଓ ଜାପାନ ସଂସ୍କୃତିରି ମିଶ୍ରିତ ପରମ୍ପରା । ପୁରୀ ତାଳବଣିଆଠାରେ ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ଅନୁଷ୍ଠିତ ଓଡ଼ିଶା-ଜାପାନ୍ ୨୦୨୫ ମହୋତ୍ସବରେ ଏପରି ଦୃଶ୍ଯ ଦର୍ଶକଙ୍କୁ ବିମୋହିତ କରିଛି । ସେହିପରି ଜାପାନର ପାରମ୍ପରିକ ଲାଇଟ୍, ରଙ୍ଗବେରଙ୍ଗର କାଗଜ ତୋରଣ ସହ ବାଉଁଶ କାଠି ଦ୍ବାରା ନିର୍ମିତ ଜାପାନୀଜ୍ ଷ୍ଟାଇଲ୍ ଦେଖିବାକୁ ମିଳିଛି । ଏପରି ଏକ ଅଭିନବ ଉଦ୍ଯମକୁ ପ୍ରଶଂସା କରିଛନ୍ତି ଉଭୟ ଦେଶର କଳାକାର ।
ଏପରି କାର୍ଯ୍ଯକ୍ରମ ଉଭୟ ଦେଶର ସଂସ୍କୃତିକୁ ଉଦଜୀବିତ କରିବା ସହ ପର୍ଯ୍ଯଟନ କ୍ଷେତ୍ରରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ ବୋଲି କହିଛନ୍ତି ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ୍ ସେଣ୍ଟର ସଭାପତି ଶ୍ରୀମନ୍ତ ଦାସ । ତେବେ କାର୍ଯ୍ଯକ୍ରମର ମୁଖ୍ୟ ଆକର୍ଷଣ ଥିଲା ଜାପାନର ଡ୍ରମ୍ ବାଦକ ନାଚୋସ ମିୟାହାରା, ସୁଜୁକି ମାରିକା, ୟାସିଦା କରେନ, ଡାଇ ଆକିଏ ଓ ଇଣ୍ଡୋ ମିକେ । ଜାପାନର ଏହି ପ୍ରଖ୍ୟାତ କଳାକାର ମାନେ ଭାରତୀୟ ସଂଗୀତକୁ ବାଦ୍ୟରେ ପରିବେଷଣ କରିଥିଲେ । ମହୋତ୍ସବରେ ଜାପାନର ଏକ ଖାଦ୍ୟ ମେଳା ମଧ୍ଯ ଆୟୋଜନ କରାଯାଇଥିଲା । ମହୋତ୍ସବ ଦ୍ବାରା ଦୁଇ ଦେଶର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ପ୍ରଚାର ପ୍ରସାର ସହ ଭାଇଚାରା ମଧ୍ୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିଵାକୁ ଯୋଜନା କରାଯାଉଛି ।