‘ପତି-ପତ୍ନୀ ଗୋଟିଏ ବେଡ଼ରେ ଶୁଅନ୍ତି କିନ୍ତୁ ପ୍ରେମ ମୋବାଇଲକୁ କରନ୍ତି’
1 min readନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା । ରେବାର ଏକ ଇଞ୍ଜିନିୟରିଂ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଦେଇଥିବା ଏକ ବିବୃତ୍ତି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଜନାର୍ଦ୍ଦନ ବେଶ ଚର୍ଚ୍ଚାରେ ରହିଛନ୍ତି । ସେ କହିଛନ୍ତି କି, ସ୍ବାମୀ ସ୍ତ୍ରୀ ଗୋଟିଏ ବେଡରେ ଶୁଅନ୍ତି ସତ ମାତ୍ର ଜଣେ ଉତ୍ତରକୁ ମୁହଁ କଲେ ଅନ୍ୟ ଜଣେ ଦକ୍ଷିଣକୁ ମୁହଁ କରନ୍ତି । ଆଉ ସେମାନେ ନିଜ ନିଜର ମୋବାଇଲରେ ବ୍ୟସ୍ତ ରୁହନ୍ତି । ମୋବାଇଲ ଏବେ ସ୍ବାମୀ ସ୍ତ୍ରୀ ପ୍ରେମ କରୁଛନ୍ତି । ଏହାସହ ସେ କହିଛନ୍ତି କି, ୬୦ ବର୍ଷ ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଏମିତି ହେବ କି, ଛୁଆ ସବୁ ଅନଲାଇନରେ ଜନ୍ମ ହେବେ । ତେବେ ଛୁଆମାନେ ଷ୍ଟିଲ୍ ହୁଅନ୍ତୁ ବା ମାଂସ ହାଡର । ସାଂସଦଙ୍କ ଏଭଳି ବିବୃତ୍ତି ଶୁଣି ଉପସ୍ଥିତ ଛାତ୍ରଛାତ୍ରୀମାନେ ହସିଥିଲେ । ଆଉ ଏହି ସମୟର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
କାର୍ଯ୍ୟକ୍ରମରେ ସାଂସଦ କହିଥିଲେ କି, ମୁଁ ଦେଉଥିବା ବିବୃତ୍ତିକୁ ଆପଣ ବିଚାର କରିବେ । ମଣିଷ ଦ୍ବାରା ତିଆରି ହୋଇଥିବା ଯନ୍ତ୍ର ମୋବାଇଲ । କିନ୍ତୁ ସ୍ବାମୀ ସ୍ତ୍ରୀ ଗୋଟିଏ ବେଡରେ ଶୋଇ ମଧ୍ୟ ପରସ୍ପରକୁ ନଦେଖି ବିପରୀତ ଦିଗକୁ ମୁହଁ କରି ଶୋଇଥାନ୍ତି । ଆଉ ଏବେ ଅନଲାଇନରେ ବିବାହ ଏବଂ ଛୁଆ ମଧ୍ୟ ହେବେ । ତେବେ ଏହାସହ ଛାତ୍ରଛାତ୍ରୀଙ୍କୁ ବୁଝାଇ କହୁଥିଲେ କି, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସମାଜରେ ବହୁ ଗୁରୁତ୍ବୂପର୍ଣ୍ଣ ଭୂମିକା ରହିଛି । ସେପଟେ ଏହା ପୂର୍ବରୁ ମଧ୍ୟ ସାଂସଦ ଦେଇଥିବା ଏକ ବିବୃତ୍ତି ପାଇଁ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ସେ କହିଥିଲେ କି, IAS ଅଧିକାରୀଙ୍କୁ ଜୀବନ୍ତ ସମାଧି ଦିଆଯାଉ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ କରାଯାଇଥିଲା । ଆଉ ଏବେ ପୁଣି ଏଭଳି ଏକ ବିବୃତ୍ତି ଦେବା ପରେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।