ଜ୍ୟାକଲିନଙ୍କ ପାଇଁ ଶ୍ରୀଲଙ୍କା ଓ ବାହାରିନରେ ଘର କିଣିଥିଲେ ସୁକେଶ

ମୁମ୍ବାଇ: ବଢିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ଜ୍ୟାକଲିନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟରେ କରାଯାଇଛି ଚାଞ୍ଚଲ୍ୟକର ଖୁଲାସା। ଜ୍ୟାକଲିନଙ୍କ ଲାଗି ଦଲାଲ ସୁକେଶ ଚନ୍ଦ୍ରଶେଖର ଶ୍ରୀଲଙ୍କାରେ ଏକ ଘର କିଣିଥିଲେ ଏବଂ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ବଙ୍ଗଳା ଲାଗି ଅଗ୍ରୀମ ଅର୍ଥ ଦେଇଥିଲେ। ଘର କିଣିବା ସମ୍ପର୍କରେ ସୁକେଶ ତାଙ୍କର ଜଣେ ସହଯୋଗୀ ପିଙ୍କି ଇରାନୀଙ୍କୁ ସୂଚନା ଦେଇଥିଲେ । ସୁକେଶଙ୍କ ସହ ଜ୍ୟାକଲିନଙ୍କୁ ଭେଟ କରାଇଦେବା ସକାଶେ ପ୍ରବର୍ତ୍ତାଇବା ଲାଗି ପିଙ୍କିଙ୍କୁ ସୁକେଶ କହିଥିଲେ। ଜୁହୁରେ ଘର କିଣିବା ଲାଗି ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଥିବା ତଥା ବାହାରିନରେ ଜ୍ୟାକଲିନଙ୍କ ବାପାମାଙ୍କୁ ଏକ ଘର ଉପହାର ଦେଇଥିବା ନେଇ ପିଙ୍କିଙ୍କୁ କହିଥିଲେ ସୁକେଶ।

ତେବେ ଏହି ସବୁ ଘର କିଣିବାର ସତ୍ୟତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି । ପିଙ୍କିଙ୍କ ସହ ହ୍ୱାଟସଆପ୍ ଚାଟ୍ ବେଳେ ଶ୍ରୀଲଙ୍କାର ୱେଲିଗାମାରେ ଏକ ଘର କିଣାଯାଇଥିବା ସମ୍ପର୍କରେ ଜ୍ୟାକଲିନ ସ୍ୱୀକାର କରାଯାଇଥିବା ସୂଚନା ମିଳିଛି । ତେବେ ସେହି ଘରକୁ ଦିନେ ବି ଜ୍ୟାକଲିନ ଯାଇ ନଥିବା ଇଡି ଦର୍ଶାଇଛି। ଜ୍ୟାକଲିନଙ୍କ ଲାଗି ସୁକେଶ ବାସ୍ତବରେ ଆଉ କ’ଣ କ’ଣ ଉପହାର ଦେଇଛନ୍ତି ତାହାର ତଦନ୍ତ ଜାରି ରହିଛି। ଜ୍ୟାକଲିନଙ୍କୁ ସୁକେଶ ପ୍ରାୟ ୭ କୋଟି ଟଙ୍କାର ଅଳଙ୍କାର ଉପହାର ଦେଇଥିଲେ ବୋଲି ସୂଚନା ମିଳିଛି। ପୂର୍ବରୁ ୨ଶହ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ସମନ ଜାରି କରି ଆସନ୍ତା ୨୬ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ।